ପୁଅର ଇଛା ପୂରଣ ପାଇଁ ୫୦ଲକ୍ଷ ଟଙ୍କାର ସମ୍ପତ୍ତି ଦାନ କଲା ମା’
ବାଲେଶ୍ୱର : ପୁଅର ଶେଷ ଇଛା ପୁରଣ କରିବା ପାଇଁ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଦାନ କରିଦେଲା ମାଆ । ଏତେ ସମ୍ପତ୍ତି ବାଡି ରଖିବି କାହା ପାଇଁ । ଯାହା ପାଇଁ ଏ ସମ୍ପତ୍ତି ବାଡି ସେ ତ ରହିଲା ନାହିଁ । ଆଉ ଏତେ ସମ୍ପତ୍ତି ରଖିବି ମୁଁ କାହା ପାଇଁ । ପୁଅ ଥିଲା ସମାଜ ସେବୀ । ଦୁଃଖୀରଙ୍କୀଙ୍କ ସେବାରେ ତା’ର କଟୁଥିଲା ଜୀବନ । ସେଇଥିରେ ସିଏ ଆନନ୍ଦ ପାଉଥିଲା । ସବୁ ବେଳେ ଦୁଃଖୀରଙ୍କୀଙ୍କୁ ସାହାଯ୍ୟ କରିବା ପାଇଁ ମାଆକୁ ବୁଝାଉଥିଲା ।
ବାଲେଶ୍ବର ଜିଲା ସୋର ବ୍ଲକ୍ ଅନନ୍ତପୁର ପଞ୍ଚାୟତର ଅଇଁରି ଅଞ୍ଚଳର ଦିପ୍ତିକାନ୍ତ ପାଢୀ ଜଣେ ସମାଜସେବୀ । ୨୦୨୦ ମସିହା ଫେବ୍ରୁଆରି ୧୮ ତାରିଖରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ମାଆ ସୁଷମା ପାଢୀ ପୁଅ ଗର୍ଭରେ ଥିବା ସମୟରେ ସ୍ବାମୀ ଘରୁ ତଡି ଦେବା ପରେ ନିଜ ଭାଇ ପାଖରେ ରହି ପୁଅକୁ ଜନ୍ମ ଦେବା ସହ ଲାଳନ ପାଳନ କରି ପାଠ ପଢାଇ ଭଲ ମଣିଷ କରାଇଥିଲେ । ଆଉ ମାମୁଁ ମଧ୍ୟ ଭଣଜାକୁ ନିଜ ସମ୍ପତ୍ତି ଦେଇ ତା’ର ପାଠ ପଢା ସହ ସବୁ ହସ ଖୁସିରେ ନିଜକୁ ସାମିଲ କରି ନିଜେ ମଧ୍ୟ ଖୁସି ହେଉଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା । ଏକ ମାତ୍ର ପୁଅକୁ ହରାଇ ଦୁଖରେ ଭାଙ୍ଗି ପଡିଥିଲେ ମାଆ । ହେଲେ ପୁଅ ସବୁ ବେଳେ କହୁଥିବା ଗୋଟିଏ କଥା ସବୁ ବେଳେ ମାଆକୁ ବ୍ୟଥିତ କରୁଥିଲା । ମାଆ ତୋ ଶରୀର ଦାନ କରି ଦେ ଆଉ ଏଇଠି ଗୋଟିଏ ବୃଦ୍ଧାଶ୍ରମ କର । ପୁଅର ଶେଷ ଇଛାକୁ ସମ୍ମାନ ଜଣାଇ ପୁଅର ଦ୍ବତୀୟ ଶ୍ରାଦ୍ଧ ବାର୍ଷିକିରେ ନିଜ ଶରୀର ଦାନ କରିବା ସହ ପୁଅ ନାଁରେ ଦିପ୍ତି ବନ୍ଧୁ ସ୍ବେଚ୍ଛାସେବୀ ସଙ୍ଗଠନ ଗଢି ଏକ ବୃଦ୍ଧାଶ୍ରମ କରିବାକୁ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଦୁଖିନି ମାଆ ସୁଷମା ପାଢୀ ।
