ଆନନ୍ଦମାର୍ଗ ଶିଶୁ ସଦନକୁ ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଆକିନିଆଁ ସ୍ଥିତ ଆନନ୍ଦମାର୍ଗ ଶିଶୁ ସଦନର ଅନ୍ତେବାସୀମାନଙ୍କ ପାଇଁ ବାଲେଶ୍ୱର ବିବେକାନନ୍ଦ ମାର୍ଗସ୍ଥ ଲକ୍ଷ୍ମୀ ଏଜେନ୍ସିର ନାରାୟଣ ଖଣ୍ଡେଲୱାଲାଙ୍କ ପୁତ୍ର ରମନ୍ ଖଣ୍ଡେଲୱାଲା ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।
ବୁଧବାର ଅପରାହ୍ନରେ ଆନନ୍ଦମାର୍ଗ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ରମନ୍ଙ୍କର ପିତାମହ ଜଗଦୀଶ ପ୍ରସାଦ ଖଣ୍ଡେଲୱାଲା ଶିଶୁ ସଦନର ତତ୍ତ୍ୱାବଧାରକ ଶିକ୍ଷାବିତ୍ ପରିକ୍ଷିତ ଜେନାଙ୍କୁ ୧ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ସେହିପରି ଶିଶୁ ସଦନର ଅନ୍ତେବାସୀମାନଙ୍କର ପୁଷ୍ଟି ସାଧନ ପାଇଁ କିଛି ଦେଶୀ ଦୁଧିଆଳି ଗାଈ ପାଳନ କଲେ ସେ ସହଯୋଗର ହାତ ବଢ଼ାଇବେ ବୋଲି କହିଥିଲେ । ନାରାୟଣ ଖଣ୍ଡେଲୱାଲ, ଅବସରପ୍ରାପ୍ତ ଷ୍ଟେଟ୍ ବ୍ୟାଙ୍କ ଅଧିକାରୀ ନୃସିଂହ ଚରଣ ଦାଶ ଓ ଉତ୍କଳ ସମାଜ ସମ୍ପାଦକ ଭାସ୍କର ଜେନା ଉପସ୍ଥିତ ଥିଲେ ।
