କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ଓ ବିଧାୟକଙ୍କ ଦ୍ୱାରା ତିନି ବନ୍ଧର ପୁନଃରୁଦ୍ଧାର ପାଇଁ ନିରୀକ୍ଷଣ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଗରଡିହି, ତେଲିପାଳ ଓ ଜାମୁଡ଼ିହା ପଞ୍ଚାୟତର ଚାଷୀଭାଇ ବହୁଦିନ ଧରି ବାଙ୍ଗିରିବନ୍ଧ, ପୁଟିବନ୍ଧ ଓ ଚୁଡ଼ାଖିଆ ବନ୍ଧର ଉନ୍ନତିକରଣ ପାଇଁ ଦାବୀ କରିଆସୁଥିଲେ । ନୀଳଗିରି ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଚାରିପଟେ ପାହାଡ଼ ଘେରା ଯୋଗୁଁ ବର୍ଷା ଜଳର ଅଭାବରେ ଚାଷ କ୍ଷେତ୍ରରେ ଘୋର ଅସୁବିଧା ଉପୁଜୁଥିବା ବେଳେ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଏହାର ସମାଧାନ କ୍ଷେତ୍ରରେ ଶୁକ୍ରବାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ବିଭିନ୍ନ ପଂଚାୟତରେ ଥିବା ବନ୍ଧ ଗୁଡ଼ିକର ପୁନରୁଦ୍ଧାର ସହ ଉନ୍ନତିକରଣ ପାଇଁ କ୍ଷୁଦ୍ରଜଳସେଚନ ବିଭାଗର ପଦସ୍ଥ ଅଧିକାରୀଙ୍କୁ ଡକାଇ ଦୃଷ୍ଟି ଆକର୍ଷଣ କରିଥିଲେ ।
ବିଭାଗୀୟ ଅଧିକାରୀମାନେ ଏହାକୁ ଗୁରୁତ୍ୱ ଦେଇ ନୀଳଗିରି ବିଧାୟକଙ୍କୁ ସହ ବିଭିନ୍ନ ବନ୍ଧ ଯଥା- ଗରଡିହି ଓ ତେଲିପାଳ ପଂଚାୟତର ରେ ଥିବା ବାଙ୍ଗିରି ବନ୍ଧ ଓ ପୁଟିବନ୍ଧ ପରିଦର୍ଶନ କରିଥିଲେ । ପାରିପାଶ୍ୱିର୍କ ପରିସ୍ଥିତିକୁ ଆଖି ଆଗରେ ରଖି ଏବଂ ଶତାଧିକ ଚାଷୀମାନଙ୍କ ହାତୀ ଦୃଷ୍ଟିରେ ରଖି ଅଧିକାରୀମାନେ ଏହି ଦୁଇ ବନ୍ଧର ନବୀକରଣ ପାଇଁ ସବୁଜ ସଙ୍କେତ ଦେଇଛନ୍ତି । ସେହିପରି ଜାମୁଡ଼ିହା ପଞ୍ଚାୟତର ଥିବା ଚୂଡ଼ାଖିଆ ବନ୍ଧର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୬କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଥିବା ବେଳେ ବିଭାଗୀୟ ଅଧିକାରୀମାନେ ମଧ୍ୟ ପରିଦର୍ଶନ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସୁପରିନ୍ଟେଣ୍ଡେଣ୍ଟ ଇଜିନିୟର ଅରୁଣ ଦେ, ଡେପୁଟି ନିର୍ବାହୀ ଯନ୍ତ୍ରୀ ଗୁରୁପ୍ରସାଦ ପୃଷ୍ଟି, ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଶତପଥି ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।
