ନବ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କଂଗ୍ରେସ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା
ବାଲେଶ୍ୱର : କଂଗ୍ରେସ ଦଳର ନେତା ଓ କର୍ମୀମାନେ କୌଣସି ଆଶା ଓ ଆକାଂକ୍ଷା ନରଖି ଏକଜୁଟ୍ ହେବାସହ ଲୋକଙ୍କପାଇଁ କାମକଲେ ନିଶ୍ଚିତଭାବେ କଂଗ୍ରେସ ଦଳ ଆଗାମୀ ଦିନରେ ଫେରିବ । ଶୁକ୍ରବାର ସନ୍ଧ୍ୟାରେ ଜିଲା କଂଗ୍ରେସ କାର୍ଯ୍ୟାଳୟ ରାଜୀବ ଭବନ ପରିସରରେ ନବ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧନା କରାଯିବା ଅବସରରେ ଦଳର ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ ଏକଥା କହିଛନ୍ତି ।
ବାଲିଆପାଳ ବ୍ଲକର ପୂର୍ବତନ ଚେୟାରମ୍ୟାନ୍ ବିଜନ ନାୟକଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଦଳ ବ୍ଲକକୁ ଅଧିକାର କରିବା ସହ ଅଧିକାଂଶ ସମିତିସଭ୍ୟ, ସଭ୍ୟା, ସରପଂଚ, ୱାର୍ଡସଭ୍ୟ ଏବଂ ଜିଲ୍ଲାପରିଷଦ ସଭ୍ୟ ପ୍ରାର୍ଥୀଙ୍କୁ ଜିତାଇବା ସମ୍ଭବପର ହୋଇପାରିଲା । ତେଣୁ ପ୍ରତ୍ୟେକ ବ୍ଲକରେ ଦଳ ତୃଣମୂଳ ସ୍ତରରୁ ଲୋକଙ୍କ ସହ ରହି ସେମାନଙ୍କ ଦୁଃଖ ସୁଖରେ ସାମିଲ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଦଳର ଅନ୍ୟତମ ଯୁବନେତା ସତ୍ୟଶିବ ଦାସ କହିଥିଲେ କି କଂଗ୍ରେସ ଦଳ ପ୍ରତି ମହିଳାମାନଙ୍କ ଆକର୍ଷଣ କମିଯାଉଥିବାରୁ ଆମେ ସବୁ ନିର୍ବାଚନମଣ୍ଡଳିରେ ଅପେକ୍ଷକୃତ କମ୍ ଭୋଟ୍ ପାଉଛୁ । ତେଣୁ ଆମେ ମହିଳାମାନଙ୍କୁ ଦଳରେ ସାମିଲ କରିବାସହ ସେମାନଙ୍କ ସମସ୍ୟା ବୁଝିବାର ବେଳ ଆସିଛି । ଜିଲାସଭାପତି ସଂଜୀବ ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜିଲା ପର୍ଯ୍ୟବେକ୍ଷକ ଅଶୋକ ଦାଶ, ସତ୍ୟଶିବ ଦାସ, ପୂର୍ବତନ ବ୍ଲକ ଚେୟାରମ୍ୟାନ୍, ଅର୍ଚ୍ଚନା ନନ୍ଦୀ, ଜିଲାପରିଷଦ ସଭ୍ୟ ସନ୍ତୋଷ ଜେନା ଓ ବାବାଜୀ ଦେହୁରି ପ୍ରମୁଖ ଉଦ୍ବୋଧନ ଦେଇ ଲୋକଙ୍କ ସହ ରହିଲେ ନିଶ୍ଚିତଭାବେ ଦଳ ଜିତବ ବୋଲି କହିଥିଲେ । ଏହି ଅବସରରେ ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ, ସମିତିସଭ୍ୟ, ସମିତିସଭ୍ୟା, ୱାର୍ଡସଭ୍ୟ, ସଭ୍ୟା, ବ୍ଲକ ଚେୟାରମ୍ୟାନ୍ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ରଞ୍ଜିତା ନାୟକ, କୃଷ୍ଣଗୋପାଳ ପଣ୍ଡା, ଗୋପୀନାଥ ପାଢ଼ୀ, ଦେବଦତ ଦାସ, ପ୍ରଜ୍ଞାପାରମିତା ମହାନ୍ତି, ଗୌତମ ସାହୁ, ରଞ୍ଜନ ଦାସ, ରାଜେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ଜେନା, ସେଖ ଅଜଗର ଅଲ୍ଲୀ, ଆଶିଷ ପାତ୍ର, ସୁମତି ପାତ୍ର, ପ୍ରମୁଖ ଶତାଧିକ ଦଳୀୟ କର୍ମୀ ଓ କର୍ମକର୍ତା ଉପସ୍ଥିତ ରହିଥିଲେ । ଶେଷରେ ସୁଧାଂଶୁ ଶେଖର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
