କ୍ଷୀର ବୋଝେଇ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଢାଳିଗଲା ଶହ ଶହ ଲିଟର ଦୁଗ୍ଧ
ଭୁବନେଶ୍ୱର : ଭୁବନେଶ୍ୱର ଅଭିମୁଖେ ଯାଉଥିବା କ୍ଷୀର ବୋଝେଇ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । ସରଦେଇପୁର-ନିମାପଡ଼ା ରାସ୍ତାର ବାଲିପାଟଣା ରାସ୍ତାରେ ଭ୍ୟାନଟି ଓଲଟି ପଡ଼ିଥିଲା । ଏଥିରେ ଚାଳକ ଜଣକ ସୁରକ୍ଷିତ ଥିବାବେଳେ ଶହ ଶହ ଲିଟର କ୍ଷୀର ଢାଳିଯାଇଛି।
ସୂଚନା ଯେ, ନିମାପଡ଼ା-କୋଣାର୍କ ରାସ୍ତାର ଜୁଣେଇ ଠାରେ ଥିବା ମିଲକ ମୁଡ ଦୁଗ୍ଧ କମ୍ପାନି ଗାଡ଼ି ନମ୍ବର (ଓଡି୦୫ଡି-୨୪୧୪) ରେ କ୍ଷୀର, ଦହି ପ୍ରଭୃତି ୨ ଶହ ଟ୍ରେ ବୋଝେଇ ହୋଇଥିଲା। ଡ୍ରାଇଭର ତୋଫାନ ମଲ୍ଲିକଙ୍କ ଅସାବଧାନତା ହେତୁ ଭ୍ୟାନ୍ ହଠାତ ରାସ୍ତାରେ ଓଲଟି ପଡ଼ିଥିଲା। ଫଳରେ ଦୀର୍ଘ ସମୟ ପାଇଁ ରାସ୍ତାର ଉଭୟ ପଟୁ ଆସୁଥିବା ଯାନବାହନ ଅଟକି ରହିଥିଲା। ଖବର ପାଇ କମ୍ପାନିର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାଇଡ୍ରା ସାହାଯ୍ୟ ଗାଡ଼ିକୁ ଉଠାଇଥିଲେ। ଦୁର୍ଘଟଣାରେ ଭ୍ୟାନଟି ଭାଙ୍ଗି ରୁଜି ଯାଇଥିବା ଜଣାପଡ଼ିଛି। ପ୍ରକାଶ ଥାଉ କି ଅନେକ ସମୟରେ ଏହି ରାସ୍ତାରେ କ୍ଷୀର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛି।
