ଶ୍ରୀଜୀଉଙ୍କୁ ଦର୍ଶନ କଲେ ସେବାୟତ ପରିବାର
ପୁରୀ : ଆଜି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ସେବାୟତ ପରିବାର । ଆଜି ଓ ଆସନ୍ତାକାଲି ସେବାୟତ ଓ ତାଙ୍କ ପରିବାର ସଦସ୍ୟ ମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । କୋଭିଡ଼୍ କଟକଣାକୁ ଅନୁପାଳନ କରିବା ସହ ଶ୍ରଦ୍ଧାଳୁ ମାନେ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ବ୍ୟାରିକେଡ୍ ରେ ଧାଡିରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି । ଭକ୍ତ ମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଉତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ସେହିପରି ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ଏହି ଦର୍ଶନ ସକାଳ ୭ଟା ଠାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ।
ଅନୁରୂପ ଭାବେ ୧୬ ତାରିଖ ଠାରୁ ସହରବାସୀ ୱାର୍ଡ଼ ୱାରୀ ଦର୍ଶନ କରିପାରିବେ । ୨୩ ତାରିଖ ଠାରୁ ସମସ୍ତ ଭକ୍ତ ଦର୍ଶନର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହୋଇଥିବା ସ୍ୱତନ୍ତ୍ର ନିୟମାବଳୀ (ଏସଓପି) ଅନୁଯାୟୀ, ସମ୍ପୃକ୍ତ ଭକ୍ତ କରୋନାର ଦୁଇଟି ଯାକ ଡୋଜ୍ ଟୀକା ନେଇଥିବେ କିମ୍ବା ୯୬ ଘଂଟା ପୂର୍ବରୁ ନିଜର ଆରଟି-ପିସିଆର ପରୀକ୍ଷା କରାଇବା ସହ ଏହି ରିପୋର୍ଟ କୋଭିଡ଼୍ ନେଗେଟିଭ୍ ରହିଥିବା ଆବଶ୍ୟକ । ଭକ୍ତ ମାନେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ, ମନ୍ଦିର ଭିତରକୁ ଭୋଗ କିମ୍ବା କୌଣସି ପୂଜା ସାମଗ୍ରୀ ନେବା ଉପରେ କଟକଣା ରହିଛି । ମନ୍ଦିର ଭିତରେ ପାନ ଛେପ, କିମ୍ବା ଗୁଟଖା ଖାଇ ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନାର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତରେ ପଲିଥିନ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପଲିଥିନ୍ ବ୍ୟବହାରକାରୀ ଧରାପଡିଲେ ୧୦୦ ଟଙ୍କା ଜୋରିମାନା ଦେବେ । ଏଥି ସହିତ ୬୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ୧୦ ବର୍ଷରୁ କମ୍ ବୟସ୍କ ଶିଶୁ, ଗର୍ଭବତୀ ମହିଳା ଦର୍ଶନ ପାଇଁ ନଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଅମାନିଆଙ୍କ ମନ୍ଦିର ପ୍ରବେଶ ଉପରେ ରୋକ୍ ଲକାଇବା ପାଇଁ ମନ୍ଦିର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
