ଆର୍ଦ୍ର ଭୂମି ସୁରକ୍ଷା ସମ୍ପର୍କିତ ମାମଲାରେ ହାଇକୋର୍ଟରେ ହାଜର ହେବେ ୪ ଜିଲାପାଳ
କଟକ : ଆର୍ଦ୍ର ଭୂମି ସୁରକ୍ଷା ସମ୍ପର୍କିତ ମାମଲା ଉପରେ ଜବାବ ରଖିବା ପାଇଁ ଗଞ୍ଜାମ, ପୁରୀ, କେନ୍ଦ୍ରାପଡା ଓ ଖୋର୍ଦ୍ଧା ଜିଲାର ଜିଲାପାଳ ହାଇକୋର୍ଟରେ ହାଜର ହେବେ । ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦକୁ ନେଇ କ’ଣ ପଦକ୍ଷେପ ନେଇଛନ୍ତି ସେନେଇ କୋର୍ଟଙ୍କୁ ଅବଗତ କରିବେ । ୪ ଜିଲାପାଳଙ୍କୁ ହାଜର ହେବାକୁ ଗତ ଜୁଲାଇ ୨୭ରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
ବିଶେଷ କରି ଚିଲିକା ଏବଂ ଭିତର କନିକା ଭଳି ଆର୍ଦ୍ରଭୂମି ଅଞ୍ଚଳରେ ବେଆଇନ ଚିଙ୍ଗୁଡି ଘେରି ହଟାଇବାରେ ପ୍ରଶାସନ ଆଖି ଦୃଷ୍ଟିଆ ପଦକ୍ଷେପ ନେଇ ନଥିବାରୁ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ । ଆର୍ଦ୍ରଭୂମି ସୁରକ୍ଷା ଏବଂ ଚିଲିକା ତଥା ଭିତର କନିକାରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ ଆଧାରରେ ମୁଖ୍ୟ ସଚିବଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠିତ ହୋଇଥିଲା । କମିଟିର ନିଷ୍ପତ୍ତି ମୁତାବକ ଏହି ୪ ଜିଲାର ଜିଲାପାଳ ବିଭିନ୍ନ ବିଭାଗର ସହାୟତା ନେଇ ବେଆଇନ ଚିଙ୍ଗୁଡ଼ି ଘେରି ସବୁକୁ ଉଚ୍ଛେଦ କରିବା କଥା ଏବଂ ପ୍ରତ୍ୟେକ ମାସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବା ସହ, ହାଇକୋର୍ଟରେ ମଧ୍ୟ ଆକ୍ସନ ଟେକେନ ରିପୋର୍ଟ ସତ୍ୟପାଠ ଜରିଆରେ ଦାଖଲ କରିବା ଲାଗି ପୂର୍ବରୁ ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ସେସବୁରେ ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଥିଲା ।
