ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ କଂଗ୍ରେସର ଡିସିପିଙ୍କୁ ସ୍ମାରକପତ୍ର
କଟକ : କଟକ ନଗର କଂଗ୍ରେସର ପୂର୍ବତନ ସଭାପତି ଗିରିବାଳା ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି କଟକ ସହରର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାରେ ତୁରନ୍ତ ସୁଧାର ଦାବି କରି କଟକ ଡିସିପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସଂପ୍ରତି କଟକ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ କମିଶନରେଟ ପୋଲିସ ବିଫଳ ହୋଇଛି । ଘର ଭିତରେ ବି ମହିଳା ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଆଜକୁ ୬ ଦିନ ବିିତିଯାଇଥିଲେ ମଧ୍ୟ ଜନଗହଳ ବକ୍ସିବଜାର ପେନସନ୍ ଲେନ୍ ଅଂଚଳର ଜନୈକ ବୃଦ୍ଧାଙ୍କ ପ୍ରତି ହୋଇଥିବା ପାଶବିକ ଦୁଷ୍କର୍ମ ଘଟଣାର ପର୍ଦ୍ଦାଫାସ ହୋଇ ନ ପାରିବା ଦୁର୍ଭାଗ୍ୟଜନକ । ଖୋଦ୍ ରାଜ୍ୟ ପୋଲିସ ମୁଖ୍ୟାଳୟର ନାକ ତଳେ ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ସଂପୃକ୍ତ ଅସାମାଜିକକୁ ଗିରଫ କରିବାରେ ପୋଲିସ ତତ୍ପରତା ପ୍ରକାଶ ନ କରିବା ଘୋର ପରିତାପର ବିଷୟ ବୋଲି ଅଭିଯୋଗ କରାଯାଇଛି । ସେହିପରି ଗତ କିଛି ମାସ ହେବ ସିଡିଏ ଓ ବିଭିନ୍ନ ବସ୍ତି ଅଂଚଳରେ ଅସାମାଜିକ, ନିଶାଡିମାନେ ବିଭିନ୍ନ ସମୟରେ ନାନା ଅଘଟଣ ଘଟାଉଥିବା ବାରମ୍ବାର ଦୃଷ୍ଟିକୁ ଆସୁଛି । ଏହା ବିରୋଧରେ ପୋଲିସ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନେଇ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ପ୍ରତିନିଧିମଣ୍ଡଳି ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶୈଳବାଳା ଜେନା, କର୍ପୋରେଟର ଲିଜାରାଣୀ ରାଉତ, ଜାକିର ହୁସେନ, ଆର୍ଯ୍ୟବୀର ଲେଙ୍କା, ବିକି ଚକ୍ରବର୍ତ୍ତୀ, ଅଜିତ ବେହେରା, ରାଜେନ୍ଦ୍ର ପଣ୍ଡା, ସେକ ଗୁଲାମ ମୋଇଦ୍ଦିନ, ଈସରତ ଜାହାନ, ଦିଲ୍ଲିପ ମହାନ୍ତି, ଦେବେନ୍ଦ୍ର ପ୍ରସାଦ ସେଠୀ, ସୈାମ୍ୟରଂଜନ ଦାସ, ସେକ ୱାଜିଦ୍, ଅବଦୁଲ ମୋକିଦ, ଅବଦୁଲ ନସିମ, ବିକ୍ରମ ବିଶ୍ୱାଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
