ମାଟ୍ରିକ ପରୀକ୍ଷା : କେନ୍ଦୁଝର ଜିଲ୍ଲାର ୧୩୮ କେନ୍ଦ୍ରରେ ପରୀକ୍ଷା ଦେବେ ୨୩ ହଜାର ଛାତ୍ରଛାତ୍ରୀ
କେନ୍ଦୁଝର : ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଯାଉଛି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । କେନ୍ଦୁଝର ଜିଲ୍ଲାରେ ଏଥର ୨୩ ହଜାର ୨୧୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି । ଏଥିପାଇଁ ଜିଲ୍ଲାରେ ୧୩୮ଟି ପରୀକ୍ଷା କେନ୍ଦ୍ର ହେବ । ୪୭୧ଟି ବିଦ୍ୟାଳୟର ୨୩ ହଜାର ୩୭ଜଣ ରେଗୁଲାର, ୬୧ଜଣ ପତ୍ରବିନିମୟ, ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍ଓଏସସି୍) ୧୧୮ଜଣ ପରୀକ୍ଷା ଦେବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ସେହିପରି ଜିଲ୍ଲାରେ ଚଳିତବର୍ଷ ୧୧ଟି ନୋଡାଲ ସେଣ୍ଟର କରାଯାଇଥିବା ସୂଚନା ମିଳିଛି । ପରୀକ୍ଷା ସୁପରିଚାଳନା ପାଇଁ ୩୯ଟି ଡେସପାଚ୍ ଟିମ୍ ଗଠନ କରାଯାଇଛି । ଆନନ୍ଦପୁର ଓ ଘସିପୁରା ବ୍ଲକ୍ ପାଇଁ ବିଏନ୍ ଉଚ୍ଚବିଦ୍ୟାଳୟ ଆନନ୍ଦପୁର, ହାଟଡିହି ପାଇଁ ହାଟଡିହି ଉଚ୍ଚବିଦ୍ୟାଳୟ, ଚମ୍ପୁଆ ବ୍ଲକ୍ ପାଇଁ ମହତାବ ଉଚ୍ଚବିଦ୍ୟାଳୟ ଚମ୍ପୁଆ, ଝୁମ୍ପୁରା ବ୍ଲକ୍ ପାଇଁ ଝୁମ୍ପୁରା ସରକାରୀ ଉଚ୍ଚବିଦ୍ୟାଳୟ, ଯୋଡ଼ା ବ୍ଲକ୍ ପାଇଁ ବନେଇକଳା ଉଚ୍ଚବିଦ୍ୟାଳୟ, ଘଟଗାଁ ବ୍ଲକ୍ ପାଇଁ ତାରିଣୀ ବାଳିକା ଉଚ୍ଚବିଦ୍ୟାଳୟ ଘଟଗାଁ, ହରିଚନ୍ଦନପୁର ବ୍ଲକ୍ ପାଇଁ ହରିଚନ୍ଦନପୁର ଉଚ୍ଚବିଦ୍ୟାଳୟ, କେନ୍ଦୁଝର ସଦର ଓ ବାଂଶପାଳ ବ୍ଲକ୍ ପାଇଁ ଧନୁର୍ଜୟନାରାୟଣ ଉଚ୍ଚବିଦ୍ୟାଳୟ, ପାଟଣା ବ୍ଲକ୍ ପାଇଁ ଜିଏନ୍ ଉଚ୍ଚବିଦ୍ୟାଳୟ ସ୍ୱାମପାଟଣା, ସାହାରପଡ଼ା ବ୍ଲକ୍ ପାଇଁ ସାହାରପଡ଼ା ଉଚ୍ଚବିଦ୍ୟାଳୟ ଏବଂ ତେଲକୋଇ ବ୍ଲକ ପାଇଁ ତେଲକୋଇ ଉଚ୍ଚବିଦ୍ୟାଳୟକୁ ନୋଡାଲ ସେଣ୍ଟର କରାଯାଇଥିବା ଜଣାପଡ଼ିଛି । ଏହାବ୍ୟତୀତ ମଧ୍ୟମା ପରୀକ୍ଷା ପାଇଁ ଆନନ୍ଦପୁର ବିଏନ୍ ହାଇସ୍କୁଲ୍ ଏବଂ ହାଟଡିହି ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍ଓଏସ୍ସି) ପରୀକ୍ଷା ପାଇଁ ଯୋଡ଼ା ବ୍ଲକ୍ର ବନେଇକଳା ଉଚ୍ଚବିଦ୍ୟାଳୟ ଏବଂ କେନ୍ଦୁଝର ଡିଏନ୍ ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ସୂଚନା ମିଳିଛି । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି ।
ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍ଦଣ୍ଡ
କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲା ସଦର ଥାନା ଅଂଚଳରେ ଜଣେ ୫ ବର୍ଷର ନାବାଳିକାକୁ ବଳାତ୍କାର କରିବା ଘଟଣାରେ ଅଭିଯୁକ୍ତଙ୍କ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଜିଲା ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ମାନସ କୁମାର ମିଶ୍ର । ଏହି ଘଟଣାରେ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଆର୍ôଥକ ଜରିମାନା ପ୍ରଦାନ କରାଯାଇଥିବା ବେଳେ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ରାୟ ପ୍ରଦାନ ହୋଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭ ମାର୍ଚ୍ଚ ୧୩ରେ ଏହି ଗ୍ରାମରେ ଥିବା ମାମୁଘରକୁ ନିଜ ମା\’ଙ୍କ ସହ ଆସିଥିବା ଜଣେ ୫ ବର୍ଷର ନାବାଳିକା ବାହାରେ ଖେଳୁଥିବା ସମୟରେ ସେହି ଗ୍ରାମର ଘନଶ୍ୟାମ ପାତ୍ର (୨୮) ହୋଲି ଖେଳିବାକୁ ଡାକିନେଇ ସ୍କୁଲ ଘର ପାଇଖାନାରେ ବଳାତ୍କାର କରି ମୁମୂର୍ଷୁ ଅବସ୍ଥାରେ ଛାଡ଼ି ପଳାଇଥିଲେ । ନାବାଳିକା କାନ୍ଦି କାନ୍ଦି ଘରକୁ ଆସି ମାଆଙ୍କୁ ସବୁ ଘଟଣା କହିଥିଲା ମା\’ଙ୍କ ଏତଲାକୁ ଆଧାର କରି ସଦର ପୋଲିସ କେସ୍ ନଂ ୯୩/୧୭ରେ ଓ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେବେଠାରୁ ସେ ବିଚାରାଧୀନ ବନ୍ଦୀ ଭାବେ କେନ୍ଦୁଝର ଜିଲା କାରାଗାରରେ ଥିଲେ । ଆଜି ଏହି ମାମଲାର ବିଚାର ହୋଇ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତଙ୍କୁ ଶନିବାର ଦିନ କୋର୍ଟ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା ମାମଲା ପରିଚାଳନା କରୁଥିଲେ । ପୀଡ଼ିତାଙ୍କୁ ଆଇନ ସହାୟତା କେନ୍ଦ୍ର ତରଫରୁ ୪ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ରାଶି ପ୍ରଦାନ କରିବା ପାଇଁ ଆଦେଶ ଦିଆଯାଇଛି ।
