ସରକାରଙ୍କ ୬ ଦଫା ଆଇନକୁ ବିରୋଧ କରି ମହୋରୀର ଓ ଭେଣ୍ଡରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ତିହିଡ଼ି : ରାଜ୍ୟ ସରକାରଙ୍କ ୬ ଦଫା ଆଇନକୁ ବିରୋଧ କରି ମହୋରୀର ଓ ଭେଣ୍ଡରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ସରକାରୀ କାର୍ଯ୍ୟରେ ଅସହଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ତିହିଡିସ୍ଥିତ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ପରିସରରେ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିବା ଜଣା ଯାଇଛି । ସ୍ଲଟ ବୁକିଂ, ପ୍ଲଟିଂ ଜମି ରେଜେଷ୍ଟ୍ରି ତଥା ରୋଡ ଏଗ୍ରୀମେଣ୍ଟ ବନ୍ଦ କରିଥିବାକୁ ସଂଘ ପକ୍ଷରୁ ବିରୋଧ କରା ଯାଇଛି । ହାଇକୋର୍ଟଙ୍କ ଆଦେଶ ମାନିବା ସହିତ ଆଇଜିଆରଙ୍କ ନିର୍ଦ୍ଦେଶ ମାନି ଇଜିମାଇଲ ଜମି ରେଜେଷ୍ଟ୍ରି କରିବା ବଦଳରେ ଜିଲ୍ଲା ଏଡିଏମଓ ନିର୍ଦ୍ଦେଶରେ ରେଜେଷ୍ଟ୍ରୀକରଣ କରାଯିବା, ରେରା ଆଇନର ପ୍ରକୃତ ଅର୍ଥ ସମିକ୍ଷା ନକରି ଦଲିଲ ରେଜେଷ୍ଟ୍ରି କରିବା, ପୂର୍ବରୁ ରେଜେଷ୍ଟ୍ରି ହୋଇଥିବା ଜମିକୁ ରୋଡ ଏଗ୍ରୀମେଣ୍ଟ କରିବା ଏବଂ ଇଣ୍ଟରନେଟ ଖତିୟାନରେ ଦଲିଲ ସଂଯୋଗ ହୋଇଥିବା ସତ୍ୱେ ମୂଳ ଖତିୟାନକୁ ଖୋଜିବା, ଖତିୟାନରେ ଅନ୍ତିମ ପ୍ରକାଶନ ଠାରୁ ଇସି ବାହାର କରିବାକୁ ବାଧ୍ୟ କରାଯିବା ଆଦି ପ୍ରସଙ୍ଗରେ ଏପରି ଅନଶନ କରାଯାଇଥିବା ଜଣାଯାଇଛି । ଗଜେନ୍ଦ୍ର ପରିଡା, ରଙ୍ଗାଧର ତ୍ରିପାଠୀ, ଦର୍ପହରି ମହାନ୍ତି, କୈଳାସ ଚନ୍ଦ୍ର ସେଠୀ, ଶଶିକାନ୍ତ ପତି, ବିଜୟ କୁମାର ବଳ, ଗତିକୃଷ୍ଣ ନାୟକ, ଅଶ୍ୱନୀ କୁମାର ପାଢୀ, ଡମ୍ବରୁଧର ପାଣିଗ୍ରାହୀ, ହୃଷିକେଶ ମିଶ୍ର, ଅବନୀ ନାୟକ, ପୂର୍ଣ୍ଣଚନ୍ଦ୍ର ପତି, କୃଷ୍ଣଚନ୍ଦ୍ର ପଣ୍ଡା, ମାଧବାନନ୍ଦ ବିଶ୍ୱାଳ, ଅକ୍ଷୟ ସେନାପତି, ମନୋରଞ୍ଜନ ଦାଶ, ହୃଷିକେଶ ତ୍ରିପାଠୀ ଓ ନିଗମାନନ୍ଦ ନାୟକ ପ୍ରମୁଖ ମହୋରୀର ଓ ଭେଣ୍ଡର ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବା ଜଣାଯାଇଛି ।
