ଖଇରା ମହାବିଦ୍ୟାଳୟରେ ଜାତୀୟ ସ୍ତରୀୟ ସେମିନାର ଭୃଣହତ୍ୟା ରୋକିବାକୁ ଆଇନ କଡାକଡି ଲାଗୁ ହେଉ
ଖଇରା : ବାଲେଶ୍ୱର ଜିଲା ର ଅନ୍ୟତମ ଖ୍ୟାତିସମ୍ପର୍ଣ୍ଣ ଖଇରା ମହାବିଦ୍ୟାଳୟରେ ଗୁରୁବାର ଏକ ଜାତୀୟ ସ୍ତରର ସେମିନାର ଅନୁଷ୍ଠିତ ହୋଇ ଯାଇଛି । ଶିର୍ଷକ “ମା ଗର୍ଭରୁ ଲିଙ୍ଗୀୟ ପାର୍ଥକ୍ୟ” ଉପରେ ଆୟୋଜିତ ଏହି ସେମିନାରରେ ଅଧ୍ୟକ୍ଷ ଅରୁଣ କୁମାର ପାଢୀ ପୌରହିତ୍ୟ କରିଥିଲେ । ଏଥିରେ ବିଶ୍ୱ ଶିକ୍ଷକ ସଙ୍ଗଠନର ସଭାପତି ଡ ଅରୁଣ କୁମାର ମହାନ୍ତି ମୁଖ୍ୟ ଅତିଥି,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନାରୀଶିକ୍ଷା ବିଭାଗର ନିର୍ଦ୍ଦେଶକ ଡ ଉର୍ମିମାଳା ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥିଲେ । ସଦ୍ୟତଥ୍ୟ ଅନୁଯାୟୀ ୧ହଜାର ପୁରୁଷଙ୍କ ତୁଳନାରେ ମହିଳା ମାନଙ୍କ ଅନୁପାତ ୯୧୬ ରହିଛି । ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ । ଏଥିପାଇଁ ମାତୃଗର୍ଭରୁ ଲିଙ୍ଗ ନିରୁପଣ ମାଧ୍ୟମରେ କନ୍ୟାଭୃଣ ହତ୍ୟା ମୁଖ୍ୟତଃ ଦାୟୀ । ବ୍ୟାପକ ସଚେତନତା ସହ ଏହି ବେଆଇନ କାର୍ଯ୍ୟକୁ ରୋକିବାକୁ ପ୍ରଣୟନ ହୋଇଥିବା ଆଇନ କଡାକଡି ଭାବେ ଲାଗୁ କରିବାକୁ ବକ୍ତାମାନେ ପ୍ରକାଶ କରିଥିଲେ । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୁକ୍ତକାନ୍ତ ଶତପଥି,ନାକର ସଂଯୋଜକ ବନମାଳୀ ବାରିକ ଅନ୍ୟତମ ଅତିଥି ଭାବେ ମଞ୍ଚ ରେ ଉପସ୍ଥିତ ଥିଲେ । ପ୍ରାଧ୍ୟାପକ ଡ ଲକ୍ଷ୍ମଣ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।
