କେନ୍ଦୁଝର ରେ ଯକ୍ଷ୍ମାରୋଗୀଙ୍କୁ ପୁଷ୍ଟିସାର ଖାଦ୍ୟ ସହାୟତା କାର୍ଯ୍ୟକ୍ରମର ଶୁଭାରମ୍ଭ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଚିକିତ୍ସିତ ହେଉଥିବା ସମସ୍ତ ଯକ୍ଷ୍ମା (ଟିବି) ରୋଗୀଙ୍କୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡି.ଏମ୍.ଏଫ୍.) କେନ୍ଦୁଝର ପୋଷ୍ୟ ଭାବେ ଗ୍ରହଣ କରିଛି । ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ସମସ୍ତ ଚିକିତ୍ସାଧିନ ଯକ୍ଷ୍ମାରୋଗୀଙ୍କୁ ଡି.ଏମ୍.ଏଫ୍. ତରଫରୁ ପୁଷ୍ଟିସାର ଖାଦ୍ୟ ଯୋଗାଣର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ ଆଶିଷ ଠାକରେଙ୍କ ନିର୍ଦ୍ଦେଶକ୍ରମେ ଚଳିତ ଜାନୁଆରୀ ୧୭ ତାରିଖ ମଙ୍ଗଳବାର ଦିନ କେନ୍ଦୁଝର ସହର ଉପକଣ୍ଠ ନରଣପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ କିଶୋର କୁମାର ପୃଷ୍ଟି ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହା ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରେ ମାସକୁ ଥରେ ମାସର ୭ ତାରିଖ କିମ୍ବା ୨୧ ତାରିଖରେ ଏହି ସୁଷମ ପୁଷ୍ଟିସାର ଖାଦ୍ୟ ଯକ୍ଷ୍ମାରୋଗୀଙ୍କୁ ଯୋଗାଇଦିଆଯିବ । ଉପରୋକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ କିଶୋର କୁମାର ପୃଷ୍ଟି କହିଥିଲେ ଯେ, କେନ୍ଦୁଝର ଜିଲ୍ଲା ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମା (ଟିବି) ମୁକ୍ତ ଭାରତ ଅଭିଯାନରେ ସାମିଲ୍ ହୋଇଛି । ବର୍ତମାନ ଜିଲ୍ଲାରେ ୧୩୫୪ ଜଣ ଯକ୍ଷ୍ମାରୋଗୀ ଚିକିତ୍ସିତ ହେଉଛନ୍ତି । ସମସ୍ତ ଯକ୍ଷ୍ମାରୋଗୀଙ୍କୁ ସର୍ବନିମ୍ନ ଛଅ ମାସ ପର୍ଯ୍ୟନ୍ତ ପୁଷ୍ଟିସାର ଖାଦ୍ୟ ଯୋଗାଇଦେବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡି.ଏମ୍.ଏଫ୍.)ରୁ ବାର୍ଷକ ୪ ଶହ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ପୁଷ୍ଟିସାର ଖାଦ୍ୟକୁ ବଂଟନ ପାଇଁ ମିଶନ ଶକ୍ତିର ଜିଲ୍ଲାସ୍ତରୀୟ ମହାସଂଘକୁ ଦାୟିତ୍ୱ ଦିଆଯାଇଛି ବୋଲି ଡାଃ ପୃଷ୍ଟି କହିଥିଲେ । ଯକ୍ଷ୍ମା ଦୂରୀ କରଣ ନିମନ୍ତେ ଏକ ସାମଗ୍ରିକ ସହଯୋଗର ଆବଶ୍ୟକତା ରହିଛି । ଦେଶର ସମସ୍ତ କ୍ଷେତ୍ରରେ ଏହା ଏକ ଜନ ଆନ୍ଦୋଳନର ରୂପ ନେଲେ ହିଁ ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବାର ଲକ୍ଷ୍ୟ ସାଧିତ ହୋଇପାରିବ । ଯକ୍ଷ୍ମାରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ଅର୍ଥ ସେମାନଙ୍କର ଚିକିତ୍ସାରେ ସହାୟତା କରିବା ସହିତ ପୃଷ୍ଟିକର ଖାଦ୍ୟ ଯୋଗାଇଦେଇ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବା ବୋଲି ସେ କହିଥିଲେ । ଉକ୍ତ ବଂଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡାଃ ଦେବେନ ଦାସ, ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିନ୍ଟେଣ୍ଡେଂଟ୍ ଡାଃ ଶିବ ଚରଣ ବାଗ୍, ଡି.ପି.ଏମ୍. ଏନ୍.ଏଚ୍.ଏମ୍. ନିତ୍ୟରଞ୍ଜନ ବରାଳ, ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ କେନ୍ଦୁଝର ସଂଜୀବ କୁମାର ବାରିକ, ଡି.ପି.ସି. (ଟିବି) ଏନ୍.ଏଚ୍.ଏମ୍. ତାପସ ରଞ୍ଜନ ଜେନା, ପିପିସି (ଟିବି) ବିଶ୍ୱଜିତ୍ ନନ୍ଦ, ଡି.ଏମ୍.ଏଫ୍.ର ସିନିୟର ପ୍ରୋଜେକ୍ଟ୍ ଅଫିସର ଡଃ ମୃଣାଳିନୀ ମନ୍ୱତ୍କର, ସିନିୟର ପ୍ରୋଜେକ୍ଟ୍ ଅଫିସର ଡଃ ରୀନା ନାୟକ, ଡି.ପି.ସି. ମିଶନ ଶକ୍ତି ଶିଶିର କୁମାର ଷଡଙ୍ଗି, ଜିଲ୍ଲା ଖଣିଜ ପ୍ରତିଷ୍ଠାନର କର୍ମକର୍ତା, ମିଶନ ଶକ୍ତିର ଜିଲ୍ଲାସ୍ତରୀୟ ମହାସଂଘ ଓ ବ୍ଲକ୍ସ୍ତରୀୟ ମହାସଂଘର କର୍ମକର୍ତା, ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟାଳୟର କର୍ମକର୍ତାଙ୍କ ସହିତ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଏ.ଏନ୍.ଏମ୍, ସି.ଏଚ୍.ଓ., ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।
