ଅପହରଣ ନାଟକ ଶେଷ : ପ୍ରେମିକାଙ୍କ ସହ ଭୁବନେଶ୍ୱରେ ପହଞ୍ଚିଲେ ଡେଲିଭରୀ ବୟ ଚିକୁନ୍
ଭୁବନେଶ୍ୱର : ଅପହରଣ ନାଟକ ଶେଷ । ନିଜ ଅପରହଣ ନାଟକର ନିଜେ ଥିଲେ ନିର୍ଦ୍ଦେଶକ ଓ ନିଜେ ଥିଲେ ଅଭିନେତା । କିନ୍ତୁ କ୍ଲାଇମାକ୍ସ ପୂର୍ବରୁ ପୁରା ଘଟଣାର ହୋଇଗଲା ପର୍ଦ୍ଦାଫାଶ । ପୋଲିସ ଡେଲିଭରୀ ବୟ ପତିତପାବନକୁ ଠାବ କରି ଭୁବନେଶ୍ୱର ଆଣିବା ପାଇଁ ମଧ୍ୟପ୍ରଦେଶ ରେଳବାଇ ପୋଲିସ ସହିତ ଯୋଗାଯୋଗ ହୋଇଥିଲା । ଏହାପରେ ଉଭୟ ପତିତପାବନ ଏବଂ ଜଣେ ଯୁବତୀଙ୍କୁ ଟ୍ରେନ୍ ଯୋଗେ ଭୁବନେଶ୍ୱର ଅଣାଯାଇଛି । ଭୁବନେଶ୍ୱରରେ ପହଞ୍ଚିଲେ ଡେଲିଭରୀ ବୟ ପତିତପାବନ (ଚିକୁନ୍) ଏବଂ ଗୋପ ଅଞ୍ଚଳର ଜଣେ ଯୁବତୀ । ଉଭୟଙ୍କୁ ମଧ୍ୟପ୍ରଦେଶକୁ କଟନୀରୁ ଆଣି ଭୁବନେଶ୍ୱରରେ ପହଞ୍ଚିଛି ଧଉଳି ଥାନା ପୋଲିସ । ଡେଲିଭରି ବୟ ଚିକୁନ୍ ଓ ତାଙ୍କ ପ୍ରେମିକାଙ୍କୁ ଧଉଳି ଥାନାରେ ପଚରାଉଚରା ଚାଲିଥିବା ଜଣାଯାଇଛି। ସେପଟେ ଏମାନଙ୍କୁ ଓଡ଼ିଶା ବାହାରକୁ ଖସିବାରେ ସହଯୋଗ କରିଥିବା ଯୁବତୀଙ୍କୁ ଗୋପ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଚିକୁନ୍ ଯେଉଁ ଜାଗାରେ ଅଫହରଣର ମିଛ ନାଟକ ରଚିଥିଲେ, ସେହି ଜାଗାକୁ ତାଙ୍କୁ ନେଇ ଅଧିକ ତଦନ୍ତ କରିପାରେ ପୁଲିସ। ଧଉଳି ଥାନା ପୁଲିସ ଗୋପ ପୁଲିସ ସହ ଯୋଗାଯୋଗ କରୁଛି।
କମିସନରେଟ ପୋଲିସ ଥାନାରେ ପହଞ୍ଚିଛନ୍ତି ଚିକୁନଙ୍କ ପରିବାର। ମୋ ସ୍ଵାମୀ ଖାଲି ମୋର ବୋଲି କହିଛନ୍ତି ଚିକୁନଙ୍କ ପତ୍ନୀ ଅହଲ୍ୟା। ଅନ୍ୟପଟେ ତାଙ୍କ ମା କହିଛନ୍ତି, ମୋ ପୁଅ ମୋ ବୋହୁ ସାଂଗେ ରହୁ। ଆମେ ଦୁଇଟା ବୋହୂ ରଖି ପାରିବୁନି। ଅନ୍ୟପଟେ ଝିଅ ଉପରେ ଦୋଷ ଲଦିଛନ୍ତି ଚିକୁନଙ୍କ ଭାଇ। ଚିକୁନ୍ ବାହା ହୋଇଥିଲା ବୋଲି ସେ ଝିଅ ଜାଣିଥିଲା। ତେଣୁ ଚିକୁନର କିଛି ଭୁଲ୍ ନାହିଁ ସେ ଝିଅର ଭୁଲ୍। ସେ ଜାଣିଶୁଣି ତା ଜୀବନକୁ ନଷ୍ଟ କରିଛି। ଆମ ଚିକୁନ୍ ତାର ସ୍ତ୍ରୀ ସହ ରହୁ ବୋଲି ମଧ୍ୟ ତାଙ୍କ ଭାଇ କହିଥିଲେ। ସୂଚନା ଯେ, ଧଉଳି ଅଞ୍ଚଳର ଡେଲିଭରୀ ବୟ ଚିକୁନ୍ ଅପହରଣ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । କେହି ତାଙ୍କୁ କୁଆଡେ ନେଇଯାଉଛନ୍ତି ବୋଲି ଏକ ଭଏସ ମେସେଜ ଜରିଆରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ପତିପାବନ । ଅଭିଯୋଗ ପରେ ଆକ୍ସନକୁ ଆସିଯାଇଥିଲା ପୋଲିସ । ଏନେଇ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ରେଳବାଇ ଥାନାକୁ ପତିପାବନଙ୍କ ଫଟୋ ପଠାଯାଇଥିଲା । ଧଉଳି ଥାନା ପୋଲିସ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଘଟଣାରେ ଆସିଲା ଏକ ଟ୍ୱିଷ୍ଟ । ପୁରୀ ଜିଲା ଗୋପ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଚିକୁନ୍ ଅପହରଣ କରିଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ଗୋପ ଥାନାରେ ମାମଲା ରୁଜୁ ହୋଇଥିଲା । ଯାହାକି ମାମଲାକୁ ପୁରା ଅଡୁଆରେ ପକାଇଦେଇଥିଲେ । ସେପଟେ ଚିକୁନକୁ ମଧ୍ୟପ୍ରଦେଶର କଟନୀରୁ ଠାବ କରିଥିଲେ ରେଳବାଇ ପୋଲିସ । ତାଙ୍କ ସହ ଜଣେ ଯୁବତୀ ମଧ୍ୟ ରହିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପୋଲିସ ତଦନ୍ତ । ଚିକୁନ୍ ନିଜ ସ୍ତ୍ରୀକୁ ଅପହରଣର ରଙ୍ଗୀନ୍ ମିଛ କହି ପ୍ରେମିକା ସହ ହୋଇଯାଇଥିଲେ ଫେରାର୍ ।
