୩୦ରୁ ଉର୍ଦ୍ଧ୍ୱ ଝାଡ଼ଖଣ୍ଡ ହାତୀ ପଲଙ୍କ ଆତଙ୍କ, ୧୦୦ ଏକରରୁ ଊର୍ଦ୍ଧ୍ୱ ଧାନ ଚାଷ ନଷ୍ଟ
ଜଳେଶ୍ୱର : ଚାଷୀ କେତେ ଆଶା ନେଇ ଚାଷ କରିଥାଏ । କିନ୍ତୁ କେତେବେଳେ ପାଣି ସମସ୍ୟା ତ କେତେବେଳେ ପୋକ ସମସ୍ୟା । ଆଉ ଏବେ ହାତୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ୍ ଶ୍ୟାମନଗର ପଞ୍ଚାୟତରେ ।
ଗତ ଶୁକ୍ରବାର ରାତି ୧୦ଟା ସମୟରେ ପଶ୍ଚିମ ବଙ୍ଗ ସୀମା ପଟୁ ୩୦ରୁ ଉର୍ଦ୍ଧ୍ୱ ଝାଡ଼ଖଣ୍ଡ ହାତୀ ପଲ ଓଡ଼ିଶା ବର୍ଡ଼ର ଶ୍ୟାମନଗରରେ ଆସି ପାଖପାଖି ୧୦୦ ଏକରରୁ ଊର୍ଦ୍ଧ୍ୱ ଧାନ ଚାଷ ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି । ଫଳରେ ଖବର ପାଇ ରାଇବଣିଆ ଫରେଷ୍ଟ ରେଞ୍ଜ ଅଧିକାରୀ ମାନେ ଆସି ହାତୀ ଘଉଡ଼ାଇବା ପରିବର୍ତ୍ତେ ବାଣ ନାହିଁ କହି ତାମସା ଦେଖିଥିଲେ । ଏଥିପାଇଁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ପରେ ବନ ବିଭାଗ କର୍ମଚାରୀ ଏବଂ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ହାତୀକୁ ଘଉଡ଼ାଇବା ପାଇଁ ସକ୍ଷମ ହୋଇଥିଲେ । ଲୋକଙ୍କ ମଧ୍ୟରେ ସୁବଳ ମହାନ୍ତ, ଶରତ ସାସମଲ୍, ଗିରିଜା ଶଙ୍କର ସାସମଲ୍, ହରିଶ ଚନ୍ଦ୍ର ସାମଲ, ଶୀତଳ ସାସମଲ୍, ମେଘନଥ ମହାନ୍ତ, ତପନ ମହାନ୍ତ, ସୁରେନ୍ଦ୍ର ମହାନ୍ତ, କ୍ଷିତିଶ ମହାନ୍ତ, ହରିଶ୍ ଚନ୍ଦ୍ର ସାସମଲ୍, ମହେନ୍ଦ୍ର ମହାନ୍ତ, ଦନାର୍ଦ୍ଦନ ମହାନ୍ତ ଏହି ଚାଷୀ ମାନଙ୍କର ବହୁ କ୍ଷତି ଘଟିଛି ବୋଲି ଅଭିଯୋଗ ହୋଇଛି । ଖୁବ୍ଶୀଘ୍ର ରାଇବଣିଆ ଓ ବାଲେଶ୍ୱରର ବନବିଭାଗ ଦ୍ୱାରା ମିଳିତ ତତ୍ତ୍ୱାବଧାନରେ କ୍ଷୟକ୍ଷତିର ଆକଳନ କରି କ୍ଷତି ପ୍ରଦାନ କରିବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି ।
