କାୟା ବିସ୍ତାର କରୁଛି ବନାଗ୍ନୀ ଶିମିଳିପାଳ ଅଭୟାରଣ୍ୟରେ ୫୪ଟି ସ୍ଥାନରେ ନିଆଁ ବନ ବିଭାଗ ସହ ଅଗ୍ନୀଶମ ବିଭାଗ ନାକେଦମ
ଆୟତରୁ ବାହାରକୁ ଯାଉଛି ଜଙ୍ଗଲଅଗ୍ନୀ, ଚିନ୍ତାରେ ପରିବେଶବିତ
ବାରିପଦା : ନୈସର୍ଗିକ ସୁଷମା ବିମଣ୍ଡିତ ମୟୁରଭଂଜ ଜିଲ୍ଲାର ଶିମିଳିପାଳ ଜୈବ ମଣ୍ଡଳରେ ଜଙ୍ଗଲ ନିଆଁ ଉଗ୍ରରୂପ ଧାରଣ କରିଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନ ନୁହେଁ ଶିମିଳିପାଳର ୫୪ ଟି ସ୍ଥାନରେ ନିଆଁ ଲାଗିଥିବାର ନାସା ସାଟେଲାଇଟ ଚିତ୍ରରୁ ଜଣାଯାଇଛି । ଯାହା ଫଳରେ ଜୀବଜନ୍ତୁ ଠାରୁ ଗଛଲତା ସମସ୍ତେ ପୁଣିଥରେ ବିପଦ ଶଙ୍କୁଳ ଅବସ୍ଥାରେ ରହିଛନ୍ତି । ମୟୁରଭଂଜ ଜିଲ୍ଲାର ଶିମିଳିପାଳକୁ ସୁରକ୍ଷା ଦୃଷ୍ଟିରୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଉତ୍ତରରେ ୮ ଟି ରେଂଜ ଅଫିସ ଥିଲାବେଳେ ଦକ୍ଷିଣରେ ୯ ଟି ରେଂଜ ଅଫିସ ରହିଛି । ଉତର ଓ ଦକ୍ଷିଣ ଦୁଇଟି ବିଭାଗକୁ ପରିଚାଳନା କରିବା ପାଇଁ ଦୁଇ ଜଣ ଡେପୁଟି ଡ଼ାଇରେକ୍ଟର ପୋଷ୍ଟିଂ ହୋଇଛନ୍ତି । ୨୭୫୦ ବର୍ଗ କିଲୋମିଟର ପରିମିତ ଅଂଚଳକୁ ନେଇ ଶିମିଳିପାଳର ଅବସ୍ଥିତି । ୨୨୦୦ ବର୍ଗ କି.ମି ଅଂଚଳରେ ଇକୋଟୁରିଜିମ ବ୍ୟବସ୍ଥା କରାଯାଇଥିବା ବେଳେ, ଶିମିଳିପାଳ ଅଭୟାରଣ୍ୟରେ ୫୫ ପ୍ରଜାତିର ପଶୁ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରଜାତିର ସରୀସୃପ, ୩୭ ପ୍ରଜାତିର ମାଛ ଏବଂ ୧୦୭୬ ପ୍ରକାରର ଗଛ ଦେଖିବାକୁ ମିଳେ । ଏବେ ଏହି ବନ୍ୟଜନ୍ତୁ ମାନେ ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ବିପଦରେ ପଡି ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନ ବିଭାଗ ଏବଂ ଅଗ୍ନୀଶମ ବିଭାଗ ତଥା ସ୍ଥାନୀୟ ଲୋକେ ଅଗ୍ନୀକୁ ଆୟତ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଅଗ୍ନୀ ଆୟତକୁ ଆସୁନଥିବାର ଜଣାପଡୁଛି । ଚଳିତ ବର୍ଷ ଦୀର୍ଘଦିନ ଧରି ବର୍ଷା ହୋଇ ନଥିବାରୁ ଏବଂ ଜଙ୍ଗଲରେ ଶୁଖିଲା ପତ୍ର ପ୍ରଚୁର ପରିମାଣରେ ବିଛାଇ ହୋଇ ପଡିଥିବାରୁ ଥରେ ନିଆଁ ଲାଗିଲେ ହୁହୁ ହୋଇ ବ୍ୟାପୁଛି । ସୂଚନା ମୁତାବକ ଶିମିଳିପାଳ ଉତର ଜୋନରେ ୪୪ଟି ଏବଂ ଦକ୍ଷିଣ ଜୋନରେ ୧୦ ଟି ସ୍ଥାନରେ ନିଆଁ ଲାଗିଛି । ସେହିପରି ବେତନଟୀ, ବାରିପଦା, ରାସଗୋବିନ୍ଦପୁର, ବାଙ୍ଗିରିପୋଷି, ଦେଉଳି, ବିଶୋଇ, କରଞ୍ଜିଆ, ରାଇରଙ୍ଗପୁର ଆଦି ରେଂଜର ସଂରକ୍ଷିତ ଓ ଗ୍ରାମ୍ୟ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି । ନିଆଁର ପ୍ରକୋପ ବେଶ ଅଧିକ ଥିବାରୁ ଆୟତ କରିବା ପାଇଁ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡୁଛି । ଦମକଳ ଗାଡି ଜଙ୍ଗଲ ଭିତରକୁ ଯାଇପାରୁ ନଥିବାରୁ ବ୍ଲେୟର ମେସିନ ଜରିଆରେ ଫାୟାର ଲାଇନ ସୃଷ୍ଟି କରାଯାଇ ଜଙ୍ଗଲରେ ନିଆଁ ଅଧିକ ବ୍ୟାପିବାରୁ ରୋକାଯାଉଛି । ତେବେ ବିଗତ ୨୦୨୧ ମସିହାରେ ଶିମିଳିପାଳରେ ଲାଗିଥିବା ଭୟଙ୍କର ଅଗ୍ନୀ କୁ ନେଇ ବ୍ୟାପକ କ୍ଷୟକ୍ଷତି ହେବାସହ ଏହା ଜାତୀୟ ତଥା ଅନ୍ତର୍ଜାତୀୟ ସମସ୍ୟା ଭାବରେ ପ୍ରମୁଖ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିବା ବେଳେ, ସେତେବେଳେ ମଧ୍ୟ ବିବ୍ୱାଗ ଅଗ୍ନୀକୁ ସମ୍ପୂର୍ଣ୍ଣ ଆୟତ କରିପାରି ନଥିଲା ଶେଷରେ ବର୍ଷା ହେବା ପରେ ଲିଭିଥିଲା ନିଆଁ । ଏଣୁ ଚଳିତ ଥର ମଧ୍ୟ ବର୍ଷା ହେଉ ନଥିବାରୁ ବନାଗ୍ନି ନିୟନ୍ତ୍ରଣ ପାଇଁ ବର୍ଷା ହିଁ ଏକ ମାତ୍ର ଭରସା ବୋଲି ଅନୁମେୟ ହେଉଛି ବୋଲି ପରିବେଶବିତ ମାନେ ମତ ରଖିଛନ୍ତି ।
