ଜିଲ୍ଲା ସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ ପାଳିତ ଉତମ କାର୍ଯ୍ୟ ପାଇଁ ୯ ପଂଚାୟତକୁ ପୁରଷ୍କାର
ବାରିପଦା : ଆଜି ବାରିପଦା ଠାରେ ମୟୁରଭଂଜ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇ ଯାଇଛି । ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ଜ଼ିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରକାର ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଜିଲ୍ଲାପାଳ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଦୁରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ପାଇଁ ସଂକଳ୍ପ ବଦ୍ଧ ହୋଇ ଦାୟିତ୍ୱ ନିର୍ବାହ କରିବା ବିଷୟରେ ଆଲୋକପାତ କରି ସେଇ ମହାନ ଜନନାୟକ ଙ୍କ ଆଦର୍ଶ ଚିନ୍ତାଧାରାର ପ୍ରତିଫଳନ ସ୍ୱରୂପ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ରେ କ୍ଷମତା ବିକେନ୍ଦ୍ରୀ କରଣ ଦ୍ୱାରା ଆଜି ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସେବା ପାଇବା ପାଇଁ ସକ୍ଷମ ହୋଇ ପାରିଛନ୍ତି ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଗଡ଼ିଆ ଆଂଚଳିକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ସନ୍ଦୀପ କୁମାର ଚାନ୍ଦ ପ୍ରବାଦ ପୁରୁଷ ମହାନ ରାଷ୍ଟ୍ର ନାୟକ ବିଜୁ ପଟ୍ଟନାୟକ ଙ୍କ ଜୀବନୀ ଉପରେ ଅଭିଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀ, ଜ଼ିଲ୍ଲା ପରିଷଦର ସଭାପତି ଭାରତୀ ହାଁସଦା, ବାରିପଦା ଉପ ନଗରପାଳିକ ସୀମା ଦାସ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଚିନ୍ତା ଧାରାର ସ୍ମୃତି ଚାରଣ କରିବା ସହ ପଂଚାୟତିରାଜ ବ୍ୟବସ୍ଥାକୁ କିପରି ଆହୁରି ସୁଦୃଢ ଓ ସଶକ୍ତ କରାଯାଇପାରିବ ସେ ବିଷୟରେ ନିଜ ନିଜ ସୁଚିନ୍ତିତ ମତାମତ ରଖିଥିଲେ । ଏହି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୯ଜଣ ସରପଂଚଙ୍କୁ ମାନପତ୍ର ସହ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ ସହ ବଡ଼ସାହି ର ବଳଭଦ୍ରପୁର ଗ୍ରାମ ପଂଚାୟତ ପ୍ରଥମ, ରରୁଆଁ ବ୍ଲକର ବୈଦ୍ୟନାଥ ପଂଚାୟତ୨ୟ ଏବଂ ବିଜାତଳା ବ୍ଲକର ବଡ଼ଝରଣ ଗ୍ରାମ ପଂଚାୟତ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଯଥାକ୍ରମେ ୩ ଲକ୍ଷ,୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଚେକ ଆକାର ରେ ପ୍ରଦାନ କରାଯାଇଥିଲା । ଏ.ପି.ଡି. ସୁଶାନ୍ତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ରୁପଭାନୁ ମିଶ୍ର, ଓରମାସ ର ଡେପୁଟି ସି. ଇ. ଓ. ଶ୍ରୀ ବିମାନ ମଲ ପ୍ରମୁଖ ଙ୍କ ସମେତ ବିଭିନ୍ନ ସରକାରୀ ପଦାଧିକାରୀ, ସରପଂଚ, ଜ଼ିଲ୍ଲାପରିଷଦର ସଦସ୍ୟ, ଜନପ୍ରତିନିଧି ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
