ଜଷ୍ଟିସ୍ ଯଶୱନ୍ତ ସିଂହ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
କଟକ : ଜଷ୍ଟିସ୍ ଯଶୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛନ୍ତି । ଜଷ୍ଟିସ ଯଶୱନ୍ତ ସିଂଙ୍କୁ ନିଯୁକ୍ତି ପ୍ରଦାନ କଲେ ସୁପ୍ରିମକୋର୍ଟ । ଗତ ୨୮ ତାରିଖରେ ସୁପ୍ରିମକୋର୍ଟ କଲେଜିୟମରେ ଜଷ୍ଟିସ୍ ଯଶଓ୍ୱନ୍ତ ସିଂଙ୍କ ନାମ ସୁପାରିସ ହୋଇଥିଲା । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲିଧରଙ୍କର ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଦାୟିତ୍ୱ ନେବେ ଜଷ୍ଟିସ ଯଶୱନ୍ତ ସିଂହ । ତେବେ ଜଷ୍ଟିସ ଯଶୱନ୍ତ ସିଂହ କେବେ ଓଡ଼ିଶାର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ସେ ନେଇ କିଛି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନି ।
ଜଷ୍ଟିସ ଯଶୱନ୍ତ ସିଂହ ପ୍ରାୟ ଦେଢ ବର୍ଷ ହେବ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି। ୧୯୬୧ ମସିହା ଫେବୃୟାରୀ ୨୩ରେ ହରିୟାଣାର ରୋହତକରେ ଜନ୍ମିତ ଜଷ୍ଟିସ ଯଶୱନ୍ତ ସିଂହ ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରି ସାରିଛନ୍ତି। ଏହାପରେ ସେ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି ।
ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ ଗତ ୧୨ ତାରିଖରେ ଅବସର ଗ୍ରହଣ କରିଥିବାରୁ ଉକ୍ତ ପଦ ଖାଲି ପଡ଼ିଛି। ତାଙ୍କ ସ୍ଥାନରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲିଧରଙ୍କର ସେଠାକୁ ବଦଳି ହୋଇଛି। ୨୦୨୦ ମସିହା ଡିସେମ୍ବର ୩୧ ତାରିଖରେ ସେ ଓଡ଼ିଶାର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।
