ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ଝାରସୁଗୁଡ଼ା : କୋଲାବିରା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ ୪୨ଗୋଟି ଅଭିଯୋଗ ଶୁଣାଣି ହୋଇଛି । ଏଥି ମଧ୍ୟରୁ ୨୨ଟି ସାମୁହିକ ଓ ୨୦ଟି ବ୍ୟକ୍ତିଗତ। ସନ୍ୟାସୀପାଲି ସରକାରୀ ଗୋଚର ଜମି ଜବରଦଖଲ, ଜେ. ପଣକିମାଲ ଅଙ୍ଗନବାଡ଼ି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ସିରିଆପାଲି ଛକରୁ ସ୍କୁଲ ପର୍ଯ୍ୟନ୍ତ ରାସ୍ତାରେ ଆଲୋକ ବ୍ୟବସ୍ତା, କୁଳିଆମାଲ ଠାରୁ ଜୁବେନବୋଡ଼ ପିଚୁ ରାସ୍ତା ନିର୍ମାଣ, ଝିର୍ଲାପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ବାହାଲ ଗ୍ରାମକୁ ପାନୀୟ ଜଳ ଯୋଗାଣ, ମାଆ ବସୁଧା ମିଶନଶକ୍ତି ଗ୍ରୁପକୁ ଖରିଫ ଧାନ କ୍ରୟ ସଂକ୍ରାନ୍ତୀୟ ଆବେଦନ, ଗୁଚ୍ଛାପାଲିରେ ଶ୍ମଶାନ ଜମି ଜବର ଦଖଲ, ପୋଖରାସାଲେ ଓ କେଲେଣ୍ଡାମାଲରେ ସରକାରୀ ଜମି ଜବର ଦଖଲ, ଭୋଗରାପାଲିରେ ବନ୍ଧର ଉନ୍ନତିକରଣ, କୁଲିହାମାଲରୁ ଗହ୍ମାପାଲି ପର୍ଯ୍ୟନ୍ତ ସଡ଼କ ମରାମତି ଆଦି ସାମୁହିକ ଅଭିଯୋଗର ଶୁଣାଣି କରାଯାଇଥିଲା । ସେହିପରି କୋଲାବିରାରେ ଅନାଥ ଭାଇଭଉଣୀଙ୍କୁ ସରକାରୀ ସହାୟତା ପ୍ରଦାନ, ଚିକତ୍ସା ସକାଶେ ଆର୍ଥିକ ସହାୟତା, ରାସନ କାର୍ଡ଼ , ତିନି ଚକିଆ ସାଇକେଲ ପ୍ରଦାନ , ଫଟିସ କେମିକାଲ କର୍ତ୍ତୃପକ୍ଷଙ୍କ ନିକଟରୁ ପ୍ରାପ୍ୟ ସଂକ୍ରାନ୍ତୀୟ ଆବେଦନ, କାଳିଆ ଯୋଜନା ହିତାଧିକାରୀଙ୍କୁ ଟଙ୍କା ମଞ୍ଜୁର ଓ ଚିକିତ୍ସା ବାବଦକୁ ଆର୍ଥିକ ସହାୟତା ସଂକ୍ରାନ୍ତୀୟ ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା । ଶିବିରରେ ଚିକିତ୍ସା ସହାୟତା ବାବଦକୁ ରେଡକ୍ରସ୍ ପାଣ୍ଠିରୁ ଜଣକୁ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯାଇଛି । ଅଭିଯୋଗ ଗୁଡ଼ିକ ସମ୍ପର୍କରେ ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ଶୁଣାଣି ଓ ସମାଧାନ ଦିଗରେ ଅଧିକାରୀମାନେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ , ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ , ବ୍ଲକ ଅଧ୍ୟକ୍ଷା , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ପଣ୍ଡା ,ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
