ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଶପଥ ପାଠ
ଝାରସୁଗୁଡ଼ା : ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୨ ପାଳନ ଉପଲକ୍ଷେ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଶପଥ ପାଠ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସରୋଜ କୁମାର ସାମଲ ସମବେତ ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁତା ଓ ସ୍ଵଚ୍ଛତାର ସହ ଦାୟିତ୍ୱ ସମ୍ପାଦନ, ସଚ୍ଚୋଟତା ଓ ଆଇନର ଶାସନକୁ ଅନୁପାଳନ, ଉତ୍କୋଚ ନ ନେବା କିମ୍ବା ନ ଦେବା ଏବଂ ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ପ୍ରବୀର କୁମାର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଶପଥ ପାଠର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଲଙ୍କେଶ୍ୱର ଅମାତ, ପିଡି(ପୁନର୍ବାସ ଓ ଥଇଥାନ) ଆଲୋମଣୀ ସେଠୀ, ଡେପୁଟି କଲେକ୍ଟର ଗିତିକା ନାଏକ, ପୁନମ ବାଗେଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ଓସ୍ୱାନ କକ୍ଷରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଉପସ୍ଥିତ ରହି ଶପଥ ପାଠ କରିଥିଲେ ।
