ଯାଜପୁର ଜିଲା ମହୋତ୍ସବ ଫେବୃୟାରୀ ୮ ରୁ ୧୩ତାରିଖ ବାଳାଶ୍ରମ ପଡ଼ିଆରେ ଅନୁଷ୍ଠିତ ହେବ
“ଯଯାତି” ଗବେଷଣାତ୍ମକ ପୁସ୍ତକ ଉନ୍ମୋଚନ ନିମନ୍ତେ ପ୍ରସ୍ତୁତି ବୈଠକ
ଯାଜପୁର : ଯାଜପୁର ଜିଲା ମହୋତ୍ସବ ଫେବୃୟାରୀ ୮ ରୁ ୧୩ତାରିଖ ୬ଦିବସ ବ୍ୟାପୀ ସ୍ଥାନୀୟ ବାଳାଶ୍ରମ ପଡ଼ିଆରେ ଅନୁଷ୍ଠିତ ହେବ । ଜିଲାରର ଐତିର୍ହ୍ୟ ଓ ସଂସ୍କୃତିର କିର୍ତ୍ତୀରାଜୀକୁ ଉଜ୍ଜିବିତ କରି ରଖିବା ତଥା କଳା, ହସ୍ତତନ୍ତ ଓ ହସ୍ତକଳାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ‘ଯଯାତି’ପୁସ୍ତକ ଉନ୍ମୋଚନ ଉପଲକ୍ଷେ ପୁର୍ବାହ୍ନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଆୟୁକ୍ତ ଜମି ଓ ଅଭିଲେଖ ଅକ୍ଷୟ କୁମାର ମଲିକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପଜିଲାପାଳ ଗୋପୀନାଥ କୁଅଁର, ଯାଜପୁର ବିଡ଼ିଓ ସୈାରଭ ଚକ୍ରବର୍ତ୍ତିର୍ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲାପାଳ ଶ୍ରୀ ରାଠୋର ଯାଜପୁର ଜିଲା ମହୋତ୍ସବକୁ ରାଜ୍ୟରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିବା ଦିଗରେ ସୂଚନା ଦେବା ସହ ମହୋତ୍ସବକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ କରକମଳରେ ଉଦ୍ଘାଟନ କରାଯିବାକୁ ସ୍ଥିର କରାଯାଇଛି ବୋଲି ପ୍ରକାଶ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଜିଲାର ସମସ୍ତ ସାଂସଦ ଓ ବିଧାୟକ ମାନଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବା ନେଇ ସୂଚନା ଦେଇଥିଲେ । ଯାଜପୁର ଜିଲା ମହୋତ୍ସବ ୨୦୨୩କୁ ସ୍ମରଣୀୟ କରିବା ତଥା ଯାଜପୁର ଜିଲାର ଐିତିହ୍ୟ ଓ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଦିଗରେ ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ “ଯଯାତି”ପୁସ୍ତକ ପ୍ରକାଶନ କରାଯିବ ବୋଲି ଜିଲାପାଳ ମତବ୍ୟକ୍ତ କରିଥିଲେ । ମହୋତ୍ସବରେ ଜାତୀୟ ଓ ଆନ୍ତଃର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲାର ଓ ଜିଲା ବାହାରର ୧ଜଣ ଲେଖାଏଁ ବ୍ୟକ୍ତିତ୍ତ୍ୱଙ୍କୁ ଯଯାତି ସମ୍ମାନରେ ସମ୍ମାନୀତ କରାଯିବ । ସେହିପରି ଯାଜପୁର ନବରତ୍ନ ସମ୍ମାନରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲାର ବଳିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନୀତ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ଦୂର୍ଯ୍ୟୋଧନ ମଲିକ, ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଯଯାତି କମିଟିର ସମ୍ପାଦନ ମଣ୍ଡଳୀ, ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ସେମାନଙ୍କ ମତାମତ ପ୍ରଦାନ କରିଥିଲେ ।
