୭ ଶ୍ରେଣୀକୁ ଜଣେ ଶିକ୍ଷକ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ
ଯାଜପୁର : ୧ମ ଠାରୁ ୭ମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୧୪ । ଏହି ୧୧୪ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ଗତ ଦୁଇ ବର୍ଷ ହେବ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ ମାତ୍ର ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ । ଗତବର୍ଷ ସେପ୍ଟେମ୍ବର ମାସ ୩୦ ତାରିଖରେ ବିଦ୍ୟାଳୟରେ ନିଯୁକ୍ତି ଶିକ୍ଷୟିତ୍ରୀ ରଶ୍ମିରେଖା ମହାନ୍ତି ଅବସର ନେବା ପରେ ଏହି ୧୧୪ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ନାକେଦମ ହେଉଥିଲେ ଜଣେ ମାତ୍ର ଶିକ୍ଷକ ଜିତେନ୍ଦ୍ର କୁମାର ସୁତାର । ପାଠ ପଢ଼ା କଥା ଛାଡ଼ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମଧ୍ୟ ସୁରୁଖୁରରେ ହୋଇ ପାରୁନଥିଲା । ସେହିପରି ଏତେ ସଂଖ୍ୟାରେ ପିଲାଙ୍କୁ ଭିନ୍ନ ଭିନ୍ନ କକ୍ଷରେ ପାଠ ପଢ଼ାଇବା ସମ୍ଭବ ହେଉନଥିବାରୁ ଗୋଟିଏ ଶ୍ରେଣୀ କକ୍ଷରେ ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବସାଇ ଶିକ୍ଷାଦାନ କରୁଥିଲେ । ଯେଉଁଦିନ ସରକାରୀ କାର୍ଯ୍ୟ ପାଇଁ ଶିକ୍ଷକ ଜିତେନ୍ଦ୍ର ସୁତାର ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିଲେ ସେଦିନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଘରକୁ ଫେରିଯିବାକୁ ବାଧ୍ୟ ହେଉଥିଲେ । ଦୀର୍ଘଦିନ ଧରି ବିଦ୍ୟାଳୟରେ ଉପୁଜିଥିବା ଏଭଳି ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସମେତ ଗ୍ରାମବାସୀ ମଣ୍ଡଳ ଶିକ୍ଷାଧିକାରୀଙ୍କୁ ଠାରୁ ଆରମ୍ଭ କରି ସ୍ଥାନୀୟ ସରପଞ୍ଚ, ବିଧାୟିକାଙ୍କୁ ଅବଗତ କରିଥିଲେ ମଧ୍ୟ କେହି ବିଦ୍ୟାଳୟର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଲେ ନାହିଁ । ଶେଷରେ ବାଧ୍ୟହୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ । ଏଭଳି ଘଟଣା ଘଟିଛି ଦଶରଥପୁର ଶିକ୍ଷା ମଣ୍ଡଳ ଅଧିନ ଦତ୍ତପୁର ସ୍ଥିତ ନୀଳକଣ୍ଠେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ଉପୁଜିଥିବା ଶିକ୍ଷକ ସମସ୍ୟାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହିତ ବ୍ଲକ ଶିକ୍ଷା ବିଭାଗ କର୍ତ୍ତୁପକ୍ଷଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । ଅବିଳମ୍ଭେ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ପଦବୀ ପୁରଣ କରାନଗଲେ ବିଦ୍ୟାଳୟ ଫାଟକକୁ ତାଲା ଫିଟାଇବେ ନାହିଁ ବୋଲି ଅଡି ବସିଥିଲେ । ଏପରିକି ବିଦ୍ୟାଳୟର ଏକମାତ୍ର ତଥା ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ସୁତାରଙ୍କୁ ବିଦ୍ୟାଳୟ ଭିତରକୁ ପ୍ରବେଶ କରାଇ ଦେଇନଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସୁତାରଙ୍କ ଠାରୁ ବିଦ୍ୟାଳୟ ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ସିଆର୍ସିସି ରଂଜନ ମହାନ୍ତି ବ୍ଲକ ଶିକ୍ଷାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।ପରେ ୭ଦିନ ମଧ୍ୟରେ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାରେ ବସିଥିବା ଛାତ୍ରଛାତ୍ରୀ ଅଭିଭାବକ ଓ ଗ୍ରାମବାସୀ ଧାରଣାରୁ ଓହରିଥିବା ଜଣାଯାଇଛି ।
