ଆଇପିଏଲ୍-୨୦୨୩ : ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ-ସୁପର ଜାଏଣ୍ଟସ୍ ମୁକାବିଲା, ଜାଣନ୍ତୁ କାହା ପଲ୍ଲା ଭାରି
ବେଙ୍ଗାଲୁରୁ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ରବିବାର ୧୫ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ସୋମବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଏହି ମ୍ୟାଚ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯିବ ।
ଗତ ସିଜନରେ ସୁପର ଜାଏଣ୍ଟ୍ସ ବିପକ୍ଷରେ ଆର୍ସିବି ୨ଟି ମ୍ୟାଚ୍ ଖେଳି ଅପରାଜୟ ରହିଥିଲା । ସୋମବାର ଦଳ ଏହି ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିବ । ଅନ୍ୟପଟେ ସୁପର ଜାଏଣ୍ଟ୍ସ ଆର୍ସିବି ବିରୋଧରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଫଳରେ ଏହି ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା ରଖିଛନ୍ତି ଦର୍ଶକ ।
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବିଶାଳ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଫାଫ୍ ଡୁ’ପ୍ଲେସିଙ୍କ ଆର୍ସିବି ଦ୍ୱିତୀୟ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ନିକଟରୁ ପରାଜିତ ହୋଇଥିଲା । ନାଇଟ୍ ରାଇଡର୍ସର ୭/୨୦୪ ରନ୍ ଜବାବରେ ଦଳ ମାତ୍ର ୧୨୩ ରନ କରି ଅଲଆଉଟ୍ ହୋଇଥିଲା । ବ୍ୟାଟିଂ ବିଫଳତା ଦଳ ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଛି । ସେପଟେ ସୁପର ଜାଏଣ୍ଟସ୍ ପୂର୍ବ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟରେ ହରାଇଥିଲା । ଫଳରେ ୩ଟି ମ୍ୟାଚ୍ରୁ ଦଳ ୨ଟି ଜିତି ମୋଟ୍ ୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।
ସେପଟେ ପୂର୍ବ ମ୍ୟାଚ୍ର ତ୍ରୁଟି ସୁଧାରିବାକୁ ଅଧିକ ଗୁରୁତ୍ୱ ଦେବ ଦଳ। ଓପନର ବିରାଟ କୋହଲି ଓ ଡୁ’ପ୍ଲେସିଙ୍କ ଉପରେ ଦଳ ନିର୍ଭରଶୀଳ । ଉଭୟ ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ବିଫଳ ହୋଇଥିଲେ । ମଧ୍ୟଭାଗ ବ୍ୟାଟରମାନେ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ ଦେଇ ପାରିନାହାନ୍ତି । ଖାସ୍ କରି ଗ୍ଲେନ୍ ମ୍ୟାକ୍ସୱେଲ ଓ ଅଲରାଉଣ୍ଡର ମାଇକେଲ ବ୍ରେସୱେଲ ଫର୍ମ ଦଳକୁ ଚିନ୍ତାରେ ପକାଇଛି । ସୁପର ଜାଏଣ୍ଟ୍ସକୁ ହରାଇବାକୁ ହେଲେ ବ୍ୟାଟରମାନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।
ସୁପର ଜାଏଣ୍ଟ୍ସ ଏକ ସନ୍ତୁଳିତ ଦଳ ଗଠନ କରିଛି । ଅଧିନାୟକ ଲୋକେଶ ରାହୁଲ ଫର୍ମକୁ ଫେରିଥିବାବେଳେ କେଲି ମାୟର୍ସ ବିସ୍ଫୋରକ ବ୍ୟାଟିଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆର୍ସିବି ଆଜି ଘରୋଇ ଗ୍ରାଉଣ୍ଡରେ ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ଯାଉଛି । ଦଳ ମୁମ୍ବାଇ ବିପକ୍ଷ ମ୍ୟାଚ୍ ପ୍ରଦର୍ଶନକୁ ପୁଣି ଥପେ ଦୋହରାଇବାକୁ ଲକ୍ଷ୍ୟ ରଖିଛି ।
