୭ନଂ ୱାର୍ଡ଼ ପ୍ରିମିୟର ଲିଗ୍ କ୍ରକେଟ ଟୁର୍ଣ୍ଣାମେଣ୍ଟ : ବଜରଙ୍ଗୀ ଇଲେଭେନ ଚମ୍ପିଆନ
ବାଲେଶ୍ୱର : ବାଲେଶ୍ୱର ସହର ଉପକଣ୍ଠ ପାତ୍ରପଡ଼ା ପଞ୍ଚାୟତର ଗବଗାଁ ଠାରେ ୭ନଂ. ୱାର୍ଡ଼ ପ୍ରିମିୟର ଲିଗ୍ କ୍ରକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଶନିବାର ରାତିରେ ଫ୍ଲଡ଼ ଲାଇଟ୍ରେ ଖେଳା ଯାଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଯୁବନେତା ସରୋଜ କୁମାର ଲେଙ୍କା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କର ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସକ୍ରିୟ ସହଯୋଗ କରିଥିବା ସମସ୍ତ ସଦସ୍ୟମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏଥିସହିତ ଗ୍ରାମାଞ୍ଚଳର ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କୁ ଆଗକୁ ଆଣିବାରେ ଏହା ଟୁର୍ଣ୍ଣାମେଣ୍ଟ ଆୟୋଜନ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ । ସିନ୍ଧିଆ ପଞ୍ଚାୟତ ସରପଞ୍ଚ ବିଜୟ ମାଝୀ, ପୂର୍ବତନ ସମିତି ସଭ୍ୟ ନଗେନ୍ଦ୍ର ଭୂୟାଁ ଓ ସାମାଜିକ କର୍ମୀ ବିଜୟ କୁମାର ଦାସ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।
ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ଅଞ୍ଚଳର ମା’ ଥାନେଶ୍ୱରୀ କ୍ଲବ, କୁଲ ଇଲେଭେନ, ମା’ ଗଡ଼ନାୟିକାଣୀ, ବଜରଙ୍ଗୀ ଇଲେଭେନ, କେକେ ୱାରିଅର୍ସ, ବାଣେଶ୍ୱର ୱାରିଅର୍ସ ପଭୃତି ୬ଗୋଟି ଟିମ୍ ଅଂଶଗ୍ରହଣ କରିଥିଲେ । ଏଥିରେ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଦଳ ମଧ୍ୟରେ କ୍ରମାଗତ ଭାବେ ୬ ଓଭର ବିଶିଷ୍ଟ ୧୮ଟି ମ୍ୟାଚ୍ ଖେଳାଯାଇଥିଲା । ଶେଷରେ ମା’ ଥାନେଶ୍ୱରୀ ଓ ବଜରଙ୍ଗୀ ଇଲେଭେନ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଥାନେଶ୍ୱରୀକୁ ହରାଇ ବଜରଙ୍ଗୀ ଇଲେଭେନ ଚମ୍ପିଆନ୍ ହୋଇଥିଲା । ଚକ୍ରଧର ବେହେରା ଓ କମଳ ରାଉତ ଏଥିରେ ଆମ୍ପାୟାର ଭାବେ ସମସ୍ତ ମ୍ୟାଚକୁ ପରିଚାଳନା କରିଥିଲେ । କାଳିଆ ମାଝୀ, ପ୍ରଦୀପ ଦାସ, ଲବ ଦାସ, ହରିଶ ମାଝୀ, ତାପସ ଦାସ, ପ୍ରକାଶ ଦାସ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।
ପାତ୍ରପଡ଼ା ପଞ୍ଚାୟତରେ ଖେଳ ପଡ଼ିଆ ନ ଥିବାରୁ ବହୁ କ୍ରୀଡା ପ୍ରତିଭା ଲୁକ୍କାୟିତ ଅବସ୍ଥାରେ ରହିଯାଉଛନ୍ତି । ୭ନଂ ଫ୍ୱାର୍ଡ ପ୍ରିମିୟର ଲିଗ୍ ଭଳି ଛୋଟ ଛୋଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ମାଧ୍ୟମରେ ଉଦୀୟମାନ କ୍ରକେଟ ପ୍ରତିଭା ମାନଙ୍କ ପାଇଁ ଜିଲାସ୍ତରରେ ତଥା ରାଜ୍ୟସ୍ତରରେ ଖେଳିବା ପାଇଁ ସୁଯୋଗ ସୃଷ୍ଟି କରାଯାଉଛି । ବାଲେଶ୍ୱରର ନିର୍ବାଚିତ ଲୋକପ୍ରତିନିଧିମାନେ ପାତ୍ରପଡାର ଗବଗାଁ ଅଞ୍ଚଳରେ ଏକ ଖେଳ ପଡ଼ିଆ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଆୟୋଜକ କମିଟି କର୍ମକର୍ତ୍ତାମାନେ ନିବେଦନ କରିଥିଲେ ।
