ଆଇପିଏଲ-୨୦୨୩ : ମୁମ୍ବାଇକୁ ୮ ୱିକେଟରେ ହରାଇଲା ବାଙ୍ଗାଲୋର
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)- ୨୦୨୩ର ପଞ୍ଚମ ମ୍ୟାଚ୍ ୫ମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ୮ ୱିକେଟରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଫଳରେ କ୍ରମାଗତ ୧୧ ଥର ପାଇଁ ଓପନିଂ ମ୍ୟାଚ୍ରେ ହାରିଲା ମୁମ୍ବାଇ ।
ବାଙ୍ଗାଲୋରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ବାଙ୍ଗାଲୋର ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ରୋହିତ ଶର୍ମାଙ୍କ ଟିମ୍ ମୁମ୍ବାଇ ବ୍ୟାଟିଂ କରିଥିଲା। ମୁମ୍ବାଇ ଟିମ୍ ତିଲକ ବର୍ମାଙ୍କ ଅପରାଜିତ ୮୪ ରନ୍ ବଳରେ ୭ ୱିକେଟ୍ ହରାଇ ୧୭୧ ରନ୍ କରିଛି। ଫଳରେ ବାଙ୍ଗାଲୋରକୁ ୧୭୨ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ଦ୍ବିତୀୟ ପାଳିରେ ୧୭୨ ରନ୍ର ଲକ୍ଷ୍ୟକୁ ପିଛା କରି ବାଙ୍ଗାଲୋର ୧୬.୨ ଓଭରରେ ୨ ୱିକେଟ ହରାଇ ୧୭୨ ରନ୍ କରି ବିଜୟ ହୋଇଛି । ବାଙ୍ଗାଲୋର ପକ୍ଷରୁ ଦୁଇ ଓପନରଙ୍କ ଦମ୍ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ବିରାଟ କୋହଲି ୪୯ ବଲରେ ୮୨ ରନ୍ କରିଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ୪୩ ବଲରେ ୭୩ ରନ୍ କରିଥିଲେ । ଦୁଇ ଓପନରଙ୍କ ଶତକୀୟ ଭାଗିଦାର ବଳରେ ବାଙ୍ଗାଲୋର ଏହି ମ୍ୟାଚକୁ ଅତି ସହଜରେ ଜିତିନେଇଥିଲା । ଅନ୍ୟପଟେ ମୁମ୍ବାଇ ପକ୍ଷରୁ ଅର୍ସଦ ଖାନ, କ୍ୟାମେରନ୍ ଗ୍ରୀନ୍ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ବାଙ୍ଗାଲୋରର ପ୍ରଭାବୀ ବୋଲିଂ ଯୋଗୁଁ ମୁମ୍ବାଇର ପ୍ରାରମ୍ଭିକ ପର୍ଯ୍ୟାୟ ବିପର୍ଯ୍ୟସ୍ତ ହୋଇଥିଲା। ୪୮ ରନ ଭିତରେ ୪ ଓ୍ଵିକେଟ୍ ହରାଇ ସଙ୍କଟରେ ଥିଲା ମୁମ୍ବାଇ। ଏହି ସମୟରେ ଇଶାନ କିଷନ(୧୦),କ୍ୟାମେରୁନ ଗ୍ରୀନ(୫), ରୋହିତ ଶର୍ମା(୧) ଏବଂ ସୂର୍ଯ୍ୟକୁମାର ଯାଦବ(୧୫)ଙ୍କ ବହୁମୂଲ୍ୟ ଓ୍ଵିକେଟ୍ ହରାଇଥିଲା ମୁମ୍ବାଇ। ଟପ୍ ଅର୍ଡରଙ୍କ ବିଫଳତା ଯୋଗୁଁ ପ୍ରଥମରୁ ମୁମ୍ବାଇର ରନ ଗତି ଧିମେଇ ଯାଇଥିଲା। ଏହା ପରେ ତିଳକ ବର୍ମା ଏବଂ ନେହାଲ ଓ୍ଵାଧେରା ଲଢୁଆ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡିଥିଲେ। ଫଳରେ ମୁମ୍ବାଇ ସ୍ଥିତିରେ ସୁଧାର ଆସିଥିଲା। ୯୮ ରନ ସ୍କୋରରେ ଓ୍ଵାଧେରା ୧୩ ବଲ୍ରୁ ଦ୍ରୁତ ୨୧ ରନ କରି ଆଉଟ୍ ହୋଇଥିଲେ। ଟିମ୍ ଡେଭିଡ୍(୪) ମଧ୍ୟ ଦଳକୁ ନିରାଶ କରିଥିଲେ। ହ୍ରିତିକ ଶୋକେନ ୫ ଆଉଟ୍ ହୋଇଥିଲେ। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ଖସି ଚାଲିଥିବା ବେଳେ ଅନ୍ୟପଟେ ତିଳକ ବର୍ମା ସ୍ତମ୍ଭ ପରି ଛିଡା ହୋଇ ମୁମ୍ବାଇକୁ ଲଢୁଆ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଅର୍ଦ୍ଧଶତକ ହାସଲ କରିବା ସହ ତିଳକ ବର୍ମା ୪୬ ବଲ୍ରୁ ୯ ଚୌକା ଏବଂ ୪ ଛକା ସହ ୮୪ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ। ତାଙ୍କର ଏହି ବ୍ୟାଟିଂ ବଳରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୧ ରନର ଲଢୁଆ ସ୍କୋର କରି ପାରିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ କର୍ଣ୍ଣ ଶର୍ମା ୪ ଓଭରରେ ୩୨ ରନ୍ ଦେଇ ୨ଟି ଓ୍ବିକେଟ ନେଇଛନ୍ତି। ମିଚେଲ ବ୍ରେସଓ୍ବେଲ, ଆକାଶ ଦୀପ୍, ରିସ୍ ଟୋପଲେ , ହର୍ଷଲ ପଟେଲ ଓ ମହମ୍ମଦ ସିରାଜ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
୧୭୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ କ୍ରିଜକୁ ଓହ୍ଲାଇଥିବା ବାଙ୍ଗାଲୋରର ଦୁଇ ଓପନର ବିରାଟ କୋହଲି ଏବଂ ଅଧିନାୟକ ଫାଫ ଡୁପ୍ଲେସିସ୍ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ନିର୍ମମ ପ୍ରହାର କରି ମୁମ୍ବାଇ ଇଣ୍ଡିଆନ୍ସକୁ କୌଣସି ସୁଯୋଗ ଦେଇନଥିଲେ ଦୁଇ ବ୍ୟାଟର। କୋହଲି ଏବଂ ଡୁପ୍ଲେସିସ୍ ଓପନିଂ ଭାଗିଦାରୀରେ ୧୪.୫ ଓଭରରେ ୧୪୮ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ। ଏହି କ୍ରମରେ ଦୁଇ ବ୍ୟାଟର ଅର୍ଦ୍ଧଶତକ ପୂରଣ କରିଥିଲେ। ଡୁପ୍ଲେସିସ୍ ୪୩ ବଲ୍ରୁ ୫ ଚୌକା ଏବଂ ୬ ଛକା ସହ ୭୩ ରନ କରି ଆଉଟ୍ ହୋଇଥିଲେ। ଦିନେଶ କାର୍ତ୍ତିକ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ତେବେ ବିରାଟ କୋହଲି ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ସେ ୪୯ ବଲ୍ରୁ ୬ ଚୌକା ଏବଂ ୫ ଛକା ସହ ୮୨ ରନରେ ଅପରାଜିତ ଥିଲେ। ବାଙ୍ଗାଲୋର ୧୬.୨ ଓଭରରେ ୨ ଓ୍ଵିକେଟ୍ ବିନିମୟରେ ୧୭୩ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।
