ଆଇପିଏଲ ଦର୍ଶକଙ୍କ ଲାଗି ୱାର୍ଣ୍ଣିଂ ଜାରି ! ରାଜନୈତିକ ମାମଲା ସମ୍ପର୍କିତ ପୋଷ୍ଟର ବ୍ୟାନର ଦେଖାଇଲେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ : ଦେଶରେ ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଅନୁଷ୍ଠିତ ହେଉଛି। କରୋନା ପରେ ପ୍ରଥମ ଥର ଦର୍ଶକରେ ଭରା ଷ୍ଟାଡିୟମରେ ଆଇପିଏଲର ଆୟୋଜନ ହେଉଛି। ତେବେ ଏଥିରେ ଦର୍ଶକଙ୍କ ଲାଗି ଏକ ୱାର୍ଣ୍ଣିଂ ଜାରି କରାଯାଇଛି। ସତର୍କତା ଅନୁସାରେ ଦର୍ଶକଙ୍କୁ ରାଜନୈତିକ ମାମଲା ସମ୍ପର୍କିତ କୌଣସି ପ୍ରକାର ବ୍ୟାନର ଅଥବା ପୋଷ୍ଚର ଷ୍ଟାଡିୟମକୁ ନେଇ ଯିବା ମନା ହୋଇଛି। ଯଦି ସତର୍କତା ସତ୍ତ୍ୱେ କେହି ଏପରି କିଛି କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦିଆଯାଇଛି।
ପେଟିଏମ ଇନସାଇଡର, ଚେନ୍ନାଇ ସୁପର କିଙ୍ଗସ୍, ଦିଲ୍ଲୀ କ୍ୟାପିଟାଲସ୍, ଗୁଜରାଟ ଟାଇଟନସ୍, ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ସନରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନ ରୟାଲସ୍ ଓ ପଞ୍ଜାବ କିଙ୍ଗସ୍ ଫ୍ରାଞ୍ଚାଇଜି ଟିକେଟ୍ ପାର୍ଟନର ଅଛନ୍ତି। ଏହି ଟିକେଟ୍ ପାର୍ଟନରମାନେ କେତେକ ନିଷିଦ୍ଧ ସାମଗ୍ରୀର ସୂଚୀ ଜାରି କରିଛନ୍ତି। ଏଥିରେ ନାଗରିକତା ସଂଶୋଧନ ଅଧିନିୟମ( ସିଏଏ), ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣ (ଏନଆରସି)କୁ ବିରୋଧ କରି କୌଣସି ପ୍ରକାରର ବ୍ୟାନର ଅଥବା ପୋଷ୍ଟର ଷ୍ଟାଡିୟମକୁ ନେଇଯିବାକୁ ଅନୁମତି ନାହିଁ।
ଏହି ସତର୍କତା ଫ୍ରାଞ୍ଚାଇଜିଙ୍କ ଦ୍ୱାରା ଜାରି କରାଯାଇଛି ବୋଲି ବୁଝାଯାଉଛି। ଏହା ସାଧାରଣତଃ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଙ୍କ ପରାମର୍ଶରେ କରାଯାଇଥାଏ। କାରଣ ଏହି କ୍ରିଡା ପ୍ରତିଯୋଗୀତା କୌଣସି ପ୍ରକାର ସମ୍ବେଦନଶୀଳ ରାଜନୈତିକ ଅଥବା ନୀତିଗତ ପ୍ରସଙ୍ଗରେ ପ୍ରଚାରର ଅନୁମତି ଦେଇ ନଥାଏ। ତେବେ ଟିକେଟ୍ ସମ୍ପର୍କିତ ପରାମର୍ଶ ବା ସତର୍କତା କେବଳ ଫ୍ରାଞ୍ଚାଇଜି ହିଁ ଜାରି କରିଥିବା ଜଣାପଡିଛି। ଆଇପିଏଲ ଫ୍ରାଞ୍ଚାଇଜିଙ୍କ ଜନୈକ ପ୍ରତିନିଧି କହିଛନ୍ତି ଯେ ନିଷିଦ୍ଧ ସାମଗ୍ରୀ ଉପରେ କୌଣସି ପରାମର୍ଶ ପ୍ରାୟତଃ ବିସିସିଆଇ ସହିତ ବିଚାରବିମର୍ଷ ପରେ କରାଯାଇଥାଏ।
