ଆଇପିଏଲ-୨୦୨୩ : ତିଲକ ବର୍ମାଙ୍କୁ ଲଢୁଆ ଅର୍ଦ୍ଧଶତକ, ଆରସିବିକୁ ୧୭୨ ରନର ଟାର୍ଗେଟ୍ ଦେଲା ମୁମ୍ବାଇ
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)- ୨୦୨୩ର ପଞ୍ଚମ ମ୍ୟାଚ୍ ୫ମ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଛି। ବାଙ୍ଗାଲୋରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ବାଙ୍ଗାଲୋର ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ରୋହିତ ଶର୍ମାଙ୍କ ଟିମ୍ ମୁମ୍ବାଇ ବ୍ୟାଟିଂ କରିଥିଲା। ମୁମ୍ବାଇ ଟିମ୍ ତିଲକ ବର୍ମାଙ୍କ ଅପରାଜିତ ୮୪ ରନ୍ ବଳରେ ୭ ୱିକେଟ୍ ହରାଇ ୧୭୧ ରନ୍ କରିଛି। ଫଳରେ ବାଙ୍ଗାଲୋରକୁ ୧୭୨ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଦୀର୍ଘ ୩ ବର୍ଷ ପରେ ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମକୁ ଫେରିଛି ଆଇପିଏଲ୍ ମ୍ୟାଚ୍। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ତିଳକ ବର୍ମା ଲଢୁଆ ଅପରାଜିତ ଇନିଂସ ଖେଳିଛନ୍ତି। ତାଙ୍କର ଅପରାଜିତ ୮୪ ରନ ଦମରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୧ ରନର ଲଢୁଆ ସ୍କୋର କରି ପାରିଛି। ଆରସିବି ସମ୍ମୁଖରେ ରହିଛି ୧୭୨ ରନର ବିଜୟ ଲକ୍ଷ୍ୟ। ତିଳକଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ବିଶେଷ କରି ରୋହିତ ଶର୍ମା, ଇଶାନ କିଷନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପରି ବ୍ୟାଟର ନିରାଶ କରିଥିଲେ। ବାଙ୍ଗାଲୋର ପକ୍ଷରୁ କର୍ଣ୍ଣ ଶର୍ମା ୨ଟି ଓ୍ଵିକେଟ୍ ନେଇଥିଲେ। ବାକି ବୋଲର ମଧ୍ୟ ମାପଚୁପ ବୋଲିଂ କରିଥିଲେ। ଏହା ପୂର୍ବରୁ ଟସ୍ ଜିତି ବାଙ୍ଗାଲୋର ଅଧିନାୟକ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ବାଙ୍ଗାଲୋରର ପ୍ରଭାବୀ ବୋଲିଂ ଯୋଗୁଁ ମୁମ୍ବାଇର ପ୍ରାରମ୍ଭିକ ପର୍ଯ୍ୟାୟ ବିପର୍ଯ୍ୟସ୍ତ ହୋଇଥିଲା। ୪୮ ରନ ଭିତରେ ୪ ଓ୍ଵିକେଟ୍ ହରାଇ ସଙ୍କଟରେ ଥିଲା ମୁମ୍ବାଇ। ଏହି ସମୟରେ ଇଶାନ କିଷନ(୧୦),କ୍ୟାମେରୁନ ଗ୍ରୀନ(୫), ରୋହିତ ଶର୍ମା(୧) ଏବଂ ସୂର୍ଯ୍ୟକୁମାର ଯାଦବ(୧୫)ଙ୍କ ବହୁମୂଲ୍ୟ ଓ୍ଵିକେଟ୍ ହରାଇଥିଲା ମୁମ୍ବାଇ। ଟପ୍ ଅର୍ଡରଙ୍କ ବିଫଳତା ଯୋଗୁଁ ପ୍ରଥମରୁ ମୁମ୍ବାଇର ରନ ଗତି ଧିମେଇ ଯାଇଥିଲା। ଏହା ପରେ ତିଳକ ବର୍ମା ଏବଂ ନେହାଲ ଓ୍ଵାଧେରା ଲଢୁଆ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡିଥିଲେ। ଫଳରେ ମୁମ୍ବାଇ ସ୍ଥିତିରେ ସୁଧାର ଆସିଥିଲା। ୯୮ ରନ ସ୍କୋରରେ ଓ୍ଵାଧେରା ୧୩ ବଲ୍ରୁ ଦ୍ରୁତ ୨୧ ରନ କରି ଆଉଟ୍ ହୋଇଥିଲେ। ଟିମ୍ ଡେଭିଡ୍(୪) ମଧ୍ୟ ଦଳକୁ ନିରାଶ କରିଥିଲେ। ହ୍ରିତିକ ଶୋକେନ ୫ ଆଉଟ୍ ହୋଇଥିଲେ। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ଖସି ଚାଲିଥିବା ବେଳେ ଅନ୍ୟପଟେ ତିଳକ ବର୍ମା ସ୍ତମ୍ଭ ପରି ଛିଡା ହୋଇ ମୁମ୍ବାଇକୁ ଲଢୁଆ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଅର୍ଦ୍ଧଶତକ ହାସଲ କରିବା ସହ ତିଳକ ବର୍ମା ୪୬ ବଲ୍ରୁ ୯ ଚୌକା ଏବଂ ୪ ଛକା ସହ ୮୪ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ। ତାଙ୍କର ଏହି ବ୍ୟାଟିଂ ବଳରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୧ ରନର ଲଢୁଆ ସ୍କୋର କରି ପାରିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ କର୍ଣ୍ଣ ଶର୍ମା ୪ ଓଭରରେ ୩୨ ରନ୍ ଦେଇ ୨ଟି ଓ୍ବିକେଟ ନେଇଛନ୍ତି। ମିଚେଲ ବ୍ରେସଓ୍ବେଲ, ଆକାଶ ଦୀପ୍, ରିସ୍ ଟୋପଲେ , ହର୍ଷଲ ପଟେଲ ଓ ମହମ୍ମଦ ସିରାଜ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
