ଆଇପିଏଲ୍-୨୦୨୨ : ରାଜସ୍ଥାନ ବିପକ୍ଷରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ
ମୁମ୍ବାଇ : ଆଇପିଏଲ୍-୨୦୨୨ର ୬୮ତମ ଲିଗ୍ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମୁହାଁମୁହିଁ ହେବେ । ରୟାଲ୍ସ ପାଇଁ ବିଜୟ ଜରୁରୀ । ଆଜି ଜିତିଲେ ରୟାଲ୍ସ ତୃତୀୟ ଦଳ ଭାବେ ପ୍ଲେ-ଅଫରେ ପ୍ରବେଶ କରିବ । ବଡ଼ ବ୍ୟବଧାନରେ ପରାଜିତ ହେଲେ ପ୍ଲେ-ଅଫ୍ରେ ପ୍ରବେଶ କରିବା ପାଇଁ ରନ୍ ରେଟ୍ ଓ ଅନ୍ୟ ଦଳର ପ୍ରଦର୍ଶନକୁ ଦେଖିବାକୁ ପଡ଼ିବ । ସୁପରକିଙ୍ଗ୍ସ ପ୍ଲେ- ଅଫ ଦୌଡରୁ ବାଦ ପଡ଼ି ସାରିଛି । ଆସନ୍ତା କାଲି ରୟାଲ୍ସକୁ ଅଟକାଇବାର ସୁଯୋଗ ସୁପରକିଙ୍ଗ୍ସ ନିକଟରେ ରହିଛି । ଫଳରେ ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ। ମ୍ୟାଚରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଚେନ୍ନାଇ ଦଳରେ ଗୋଟିଏ ପରିବର୍ତ୍ତନ ଘଟିଛି। ଶିବମ ଦୁବେଙ୍କ ସ୍ଥାନରେ ଅମ୍ବତି ରାୟୁଡୁଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ରାଜସ୍ଥାନ ମଧ୍ୟ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ସିମରନ ହେଟମାୟର ଦଳକୁ ଫେରିବାରୁ ଜିମି ନିଶାନ ବାଦ୍ ପଡିଛନ୍ତି।
ରୟାଲ୍ସକୁ ହରାଇବାକୁ ହେଲେ ସୁପରକିଙ୍ଗ୍ସକୁ ପ୍ରଥମେ ଦୁର୍ଦ୍ଦର୍ଷ ବ୍ୟାଟର ଜୋସ ବଟଲରଙ୍କୁ ଅଟକାଇବାକୁ ହେବ। ବଟଲର ଚଳିତ ସିଜନରେ ୩ଟି ଶତକ ଅର୍ଜନ କରିଛନ୍ତି । ଅରେଞ୍ଜ କ୍ୟାପ ମଧ୍ୟ ତାଙ୍କ ନିକଟରେ ରହିଛି। ତାଙ୍କୁ ସହଳ ଆଉଟ୍ କରିପାରିଲେ ରୟାଲ୍ସ ବଡ ସ୍କୋରରୁ ବଞ୍ଚିତ ହେବ । ରୟାଲ୍ସର ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ । ପ୍ରସିଦ୍ଧ କ୍ରିଷ୍ଣା, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ୱିନ ଫର୍ମରେ ରହିଛନ୍ତି । ସୁପରକିଙ୍ଗ୍ସ ଚଳିତ ସିଜନରେ ଉନ୍ନତ ପ୍ରଦର୍ଶନ କରିପାରି ନ ଥିଲେ ହେଁ କିଛି ଯୁବ ପ୍ରତିଭାବାନ ଖେଳାଳିଙ୍କୁ ପାଇଛି । ବିଶେଷ କରି ପେସ୍ ବୋଲର ମୁକେଶ ଚୌଧୁରୀଙ୍କ ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ରହିଛି । ଆସନ୍ତା କାଲି ଦୁଇ ଓପନର ଋତୁରାଜ ଗାଏକୱାଡ୍ ଓ ଡେଭନ କନୱେଙ୍କ ବ୍ୟାଟ୍ରୁ ବଡ ଇନିଂସ ଆଶା କରାଯାଉଛି ।
