ଆଇପିଏଲ-୨୦୨୨ : ରାଜସ୍ଥାନକୁ ୧୫୧ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ
ମୁମ୍ବାଇ : ଆଇପିଏଲ-୨୦୨୨ର ୬୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୧୫୧ରନର ବିଜୟ ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୦ ରନ କରିଥିଲା । ମୋଇନ ଅଲ୍ଲୀଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ଵେ ବଡ ସ୍କୋର କରିବାରେ ବିଫଳ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ। ପ୍ରଥମେ ଲାଗୁଥିଲା ଦଳ ୨୦୦ ପାଖାପାଖି ସ୍କୋର କରିବ ହେଲେ, ଦଳ ବହୁତ କଷ୍ଟରେ ୬ ଓ୍ଵିକେଟ୍ ହରାଇ ୧୫୦ ରନ କରିପାରିଛି। ମୋଇନ ଅଲ୍ଲୀ ୫୭ ବଲରୁ ୯୩ ରନର ଦମଦାର ଇନିଂସ ଖେଳିଛନ୍ତି। ତାଙ୍କୁ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି। ଧୋନୀ ୨୬ ରନର ଧିମା ଇନିଂସ ଖେଳିଛନ୍ତି। ଏକଦା ୧୦.୨ ଓଭରରେ ୯୫ ରନ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଶେଷ ଆଡକୁ ଦ୍ରୁତ ରନ କରିବାରେ ବିଫଳ ହୋଇଛି। ରାଜସ୍ଥାନ ପକ୍ଷରୁ ଅବେଡ ମ୍ୟାକକୟ ୨୦ ରନ ଦେଇ ୨, ୟୁଜବେନ୍ଦ୍ର ଚହଲ ୨୬ ରନ ଦେଇ ୨ ଏବଂ ରବିଚନ୍ଦ୍ରନ ଅଶ୍ଵିନ ୨୮ ରନ ଦେଇ ୧ ଓ୍ଵିକେଟ୍ ନେଇଛନ୍ତି।
ବ୍ରାବୋର୍ଣ୍ଣ ଷ୍ଟାଡିୟମଠାରେ ଚାଲିଥିବା ମ୍ୟାଚରେ ଚେନ୍ନାଇ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଦଳର ଦୁଇ ଓପନର ଋତୁରାଜ ଗାଇକ୍ବାଡ ଓ ଡେବନ କନଓ୍ବେ ଯଥାକ୍ରମେ ୨ ଓ ୧୬ ରନରେ ଆଉଟ ହୋଇଯିବା ପରେ ମୋଇନ ଅଲ୍ଲି ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସେ ମାତ୍ର ୫୭ଟି ବଲ ଖେଳି ୧୩ ଚୌକା ଓ ୩ ଛକା ସହ ୯୩ ରନ କରିଥିଲେ । ମାତ୍ର ସେ ଓବେଡ୍ ମାକକଏଙ୍କ ବଲରେ ରିୟାନ ପରାଗଙ୍କ ହାତରେ ଧରା ପଡ଼ି ଆଉଟ ହୋଇଥିଲେ । ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ପୁଣି ବିଫଳ ହୋଇଥିଲେ । ଅନଓ୍ବେ ଆଉଟ ହେବା ପରେ ଦଳ ଅଳ୍ପ ରନ ବ୍ୟବଧାନରେ ଆଉ ୨ଟି ଓ୍ବିକେଟ ହରାଇଥିଲା । ଜଗଦୀଶନ ୧ ଓ ଅମ୍ବାତି ରାୟଡୁ ୩ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨୬ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେବାରେ ସହାୟତା କରିଥିଲେ । ରାଜସ୍ଥାନ ପକ୍ଷରୁ ଚହଲ ଓ ମାକକଏ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଚଳିତ ଆଇପିଏଲରେ ଚେନ୍ନାଇ ଦଳ ୧୩ଟି ମ୍ୟାଚ ଖେଳି ୯ଟିରେ ପରାଜିତ ହୋଇ ପ୍ଲେଅଫ ଦୌଡରୁ ଏକରକମ ବାଦ ପଡ଼ିଛି । ମାତ୍ରା ରାଜସ୍ଥାନ ପ୍ଲେ ଅପ ପାଇଁ ଅନ୍ୟତମ ଦାବିଦାର ରହିଛି ।
