ଆଇପିଏଲ୍-୨୦୨୨ : ଆଜି ରାଜସ୍ଥାନ-ଚେନ୍ନାଇ ମୁକାବିଲା
ନୂଆଦିଲ୍ଲୀ : ଆଇପିଏଲ୍-୨୦୨୨ର ୬୮ତମ ଲିଗ୍ ମୁକାବିଲାରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମୁହାଁମୁହିଁ ହେବେ । ଏହି ମ୍ୟାଚରେ ରାଜସ୍ଥାନ ପାଇଁ ବିଜୟ ଏକାନ୍ତ ଜରୁରି । ଆଜି ଜିତିଲେ ରାଜସ୍ଥାନସ ତୃତୀୟ ଦଳ ଭାବେ ପ୍ଲେ-ଅଫରେ ପ୍ରବେଶ କରିବ । ବଡ଼ ବ୍ୟବଧାନରେ ପରାଜିତ ହେଲେ ପ୍ଲେ-ଅଫ୍ରେ ପ୍ରବେଶ କରିବା ପାଇଁ ରନ୍ ରେଟ୍ ଓ ଅନ୍ୟ ଦଳର ପ୍ରଦର୍ଶନକୁ ଦେଖିବାକୁ ପଡ଼ିବ । ସେହିପରି ଚେନ୍ନାଇ ପ୍ଲେ- ଅଫ ଦୌଡରୁ ବାଦ ପଡ଼ି ସାରିଛି । ରାଜସ୍ଥାନକୁ ଅଟକାଇବାର ସୁଯୋଗ ଚେନ୍ନାଇ ନିକଟରେ ରହିଛି । ଫଳରେ ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ।
ରାଜସ୍ଥାନକୁ ହରାଇବାକୁ ହେଲେ ଚେନ୍ନାଇକୁ ପ୍ରଥମେ ଦୁର୍ଦ୍ଦର୍ଷ ବ୍ୟାଟର ଜୋସ ବଟଲରଙ୍କୁ ଅଟକାଇବାକୁ ହେବ । ବଟଲର ଚଳିତ ସିଜନରେ ୩ଟି ଶତକ ଅର୍ଜନ କରିଛନ୍ତି । ଅରେଞ୍ଜ କ୍ୟାପ ମଧ୍ୟ ତାଙ୍କ ନିକଟରେ ରହିଛି । ତାଙ୍କୁ ସହଳ ଆଉଟ୍ କରିପାରିଲେ ରାଜସ୍ଥାନ ବଡ ସ୍କୋରରୁ ବଞ୍ଚିତ ହେବ । ରାଜସ୍ଥାନର ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ । ପ୍ରସିଦ୍ଧ କ୍ରିଷ୍ଣା, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ୱିନ ଫର୍ମରେ ରହିଛନ୍ତି । ଚେନ୍ନାଇ ଚଳିତ ସିଜନରେ ଉନ୍ନତ ପ୍ରଦର୍ଶନ କରିପାରି ନ ଥିଲେ ହେଁ କିଛି ଯୁବ ପ୍ରତିଭାବାନ ଖେଳାଳିଙ୍କୁ ପାଇଛି । ବିଶେଷ କରି ପେସ୍ ବୋଲର ମୁକେଶ ଚୌଧୁରୀଙ୍କ ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ରହିଛି । ଦୁଇ ଓପନର ଋତୁରାଜ ଗାଏକୱାଡ୍ ଓ ଡେଭନ କନୱେଙ୍କ ବ୍ୟାଟ୍ରୁ ବଡ ଇନିଂସ ଆଶା କରାଯାଉଛି ।
