ନୀରଜଙ୍କୁ ଇଣ୍ଡିଗୋର ବଡ଼ ଉପହାର : ବର୍ଷେ ପାଇଁ ମାଗଣାରେ ଯାତ୍ରା ସୁବିଧା
ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ଏପରିକି ତାଙ୍କୁ ଅନେକ ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ଏବେ ନୀରଜଙ୍କ ପାଇଁ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ବଡ଼ ଘୋଷଣା କରିଛି। ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କୁ ଇଣ୍ଡିଗୋ ବର୍ଷକ ପର୍ଯ୍ୟନ୍ତ ଅସୀମିତ ମାଗଣାରେ ଯାତ୍ରା କରାଇବାର ସୁବିଧା ଯୋଗାଇଦେବ। କମ୍ପାନୀ କହିଛି ଯେ ନୀରଜ ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଅଗଷ୍ଟ ୭ ତାରିଖ ଯାଏଁ ଇଣ୍ଡିଗୋରେ ମାଗଣାରେ ଯାତ୍ରା କରିପାରିବେ।
ଇଣ୍ଡିଗୋ ସିଇଓ ରୋନୋଜାୟ ଦତ୍ତ କହିଛନ୍ତି, “ନୀରଜ ଆମେ ସମସ୍ତେ ଆପଣଙ୍କ ଉପଲବ୍ଧି ପାଇଁ ବହୁତ ଖୁସି। ଆପଣ ଦେଶକୁ ଗୌରବାନ୍ୱିତ କରିଛନ୍ତି। ଇଣ୍ଡିଗୋର ସମସ୍ତ କର୍ମଚାରୀ ଆପଣଙ୍କୁ ଯାତ୍ରା ପାଇଁ ସ୍ୱାଗତ ଜଣାଇ ସମ୍ମାନିତ ଅନୁଭବ କରିବେ। ଆମେ ଆପଣଙ୍କୁ ବର୍ଷେ ପାଇଁ ଇଣ୍ଡିଗୋ ବିମାନରେ ନିଃଶୁଳ୍କ ଯାତ୍ରା କରିବାକୁ ସୁବିଧା ଦେବାକୁ ଚାହୁଁଛୁ। ଆପଣ ଦେଖାଇ ଦେଇଛନ୍ତି କଠିନ ପରିଶ୍ରମ, ଚ୍ୟାଲେଞ୍ଜ ସତ୍ତ୍ୱେ ଦୃଢ ମନୋବଳ ଦ୍ୱାରା ମଣିଷ ସଫଳତା ହାସଲ କରିପାରେ। ଭବିଷ୍ୟତରେ ଭାରତୀୟ ଆଥଲେଟଙ୍କ ପାଇଁ ଆପଣ ଜଣେ ପ୍ରେରଣାର ସ୍ରୋତ ପ୍ରମାଣିତ ହେବେ ବୋଲି ମୋର ବିଶ୍ୱାସ। ଚମତ୍କାର ପ୍ରଦର୍ଶନ।”
