ଆଜି ଭାରତ ଫେରିବେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା
- ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଜୋରଦାର ହେବ ସ୍ୱାଗତ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ : ଆଜି ଭାରତ ଫେରିବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା। ତାଙ୍କ ନିମନ୍ତେ ସୋମବାର ସନ୍ଧ୍ୟାରେ ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ଜୋରଦାର ହେବ ସ୍ୱାଗତ କାର୍ଯ୍ୟକ୍ରମ। ନୀରଜ ସୋମବାର ସନ୍ଧ୍ୟାରେ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବେ । ସେଠାରୁ ସେ ଦିଲ୍ଲୀ କ୍ୟାଣ୍ଟ ଅଂଚଳରେ ଥିବା ରାଜରୀଫ ସ୍ପୋର୍ଟସ ସେଣ୍ଟର ଯିବେ ।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖେଳାଳିଙ୍କ ସହ ସାମିଲ ହେବେ । ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (SAI) ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଯେଉଁଥିରେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳିଙ୍କୁ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୬.୩୦ରୁ ଆରମ୍ଭ ହେବ । କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ବହୁ ପୂର୍ବତନ ଅଲିମ୍ପିକ୍ ଖେଳାଳି ତଥା ଭାରତ ସରକାରଙ୍କ ଅଧିକାରୀମାନେ ଯୋଗଦେବେ।
ଭାରତକୁ ୧୩ ବର୍ଷ ପରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଦେଇଥିବା ନୀରଜ ଚୋପ୍ରାଙ୍କ ଭାରତ ଫେରିବା ଅବସରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ନୀରଜ ଚୋପ୍ରାଙ୍କ ଶନିବାର ସ୍ୱର୍ଣ୍ଣ ପଦକ ଜିତିବା ପରେ ପାନୀପଥ ଜିଲ୍ଲାର ଥିବା ତାଙ୍କର ଗାଁ ଖାନ୍ଦ୍ରାରେ ଉତ୍ସାବର ମାହୋଲ ଦେଖାଯାଇଛି । ଏଠାରେ ଗାଁର ବୃଦ୍ଧାମାନେ ମଧ୍ୟ ନାଚିଛନ୍ତି । ନୀରଜ ଚୋପ୍ରାଙ୍କ ପିତା ସତୀଶ ଚୋପ୍ରା ମଧ୍ୟ ପୁଅର ସଫଳତାରେ ପରିବାରର ବଡ଼ ଭୂମିକା ରହିଛି ବୋଲି କହିଛନ୍ତି । ପୁଅର କ୍ରୀଡ଼ା ଗତିବିଧି ପାଇଁ ସେ ବହୁ ଉଦ୍ୟମ ଏବଂ ପରିଶ୍ରମ କରିଥିଲେ । ଗୃହମନ୍ତ୍ରୀ ଅନିଲ ଭିଜ ଖଣ୍ଡରା ଗାଁରେ ନୀରଜ ଚୋପ୍ରାଙ୍କ ଘରକୁ ପହଂଚି ତାଙ୍କର ମାତା-ପିତାଙ୍କୁ ପୁଷ୍ପମାଳ ଦେଇ ଏବଂ ପଗଡ଼ି ପିନ୍ଧାଇ ସ୍ୱାଗତ କରିଥିଲେ । ଅନିଲ ଭିଜ ନୀରଜଙ୍କ ପିତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ସେ କହିଥିଲେ ଏହା ଆରମ୍ଭ । ଆଗାମୀ ଦିନରେ ହରିୟାଣାର ଖେଳାଳି ଦେଶ ପାଇଁ ଅଧିକ ସ୍ୱର୍ଣ୍ଣ ପଦକ ଆଣିବେ ।
