୫୦ ବର୍ଷ ପରେ ଓଭାଲରେ ପ୍ରଥମ ଟେଷ୍ଟ ଜିତିଲା ଭାରତ
ଲଣ୍ଡନ : ଭାରତର ଐତିହାସିକ ବିଜୟ । ଓଭାଲ ଟେଷ୍ଟରେ ଐତିହାସିକ ବିଜୟ ସହ ଭାରତ ଲର୍ଡ୍ସ ଟେଷ୍ଟରେ ଭୋଗିଥିବା ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେଇଛି । ଏଠାରେ ଭାରତୀୟ ଦଳ ୫୦ ବର୍ଷ ପରେ ବିଜୟ ହାସଲ କରିଛି। ଦଳ ୧୯୭୧ରେ ଶେଷ ଥର ଟେଷ୍ଟ ମ୍ୟାଚ୍ ନିଜ ନାମରେ କରିଥିଲା। ୫୦ ବର୍ଷ ପରେ ମିଳିଛି ବିଜୟ । ଏହା ସହିତ ଭାରତ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି । ଶେଷ ମ୍ୟାଚ୍ ୧୦ ତାରିଖକୁ ମାଞ୍ଚେଷ୍ଟରରେ ଖେଳାଯିବ। ଅର୍ଥାତ ବିରାଟ ବାହିନୀ ଆଜିର ବିଜୟ ପରେ ଇଂଲଣ୍ଡରେ ଆଉ ସିରିଜ୍ ହାରିବ ନାହିଁ। ଯଦି ବି ୫ମ ମ୍ୟାଚ୍ରେ ହାରିବ, ତା’ହେଲେ ସିରିଜ୍ ୨-୨ରେ ଡ୍ର ରହିବ।
ଭାରତୀୟ ଦଳ ଓଭାଲରେ ଏ ପର୍ଯ୍ୟନ୍ତ ୧୩ଟି ଟେଷ୍ଟ ଖେଳି ସାରିଛି। ଏଥିରୁ ଦଳ ୫ଟିରେ ହାରିଥିବା ବେଳେ ୭ଟି ମୁକାବିଲା ଡ୍ର ରହିଛି। ୧୯୭୧ରେ ଦଳ ଏକ ମାତ୍ର ବିଜୟ ହାସଲ କରିଥିଲା। ଆଜିର ବିଜୟକୁ ମିଶାଇ ଦଳ ଏହି ଗ୍ରାଉଣ୍ଡରେ ଦ୍ଵିତୀୟ ବିଜୟ ହାସଲ କରିଛି। ଓଭାଲରେ ଭାରତ ଶେଷଥର ପାଇଁ ୧୯୭୧ରେ ବିଜୟ ଲାଭ କରିଥିଲା। ଏହି ମ୍ୟାଚ୍ରେ ଭାରତର ବିଏସ୍ ଚନ୍ଦ୍ରଶେଖର ଇଂଲଣ୍ଡର ଜନ ପ୍ରାଇସଙ୍କୁ ଆଉଟ କରି ନିଜର ୬ଷ୍ଠ ୱିକେଟ ଦଖଲ କରିଥିଲେ। ଏଥିସହ ଅଜିତ ୱାଡେକରଙ୍କ ଭାରତୀୟ ଟିମ୍କୁ ଐତିହାସିକ ୪ ୱିକେଟରେ ବିଜୟ ଭେଟି ଦେଇଥିଲେ। ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ତା’ର ଘରୋଇ ମାଟିରେ ପରାସ୍ତ କରିବା ସହ ପ୍ରଥମ ସିରିଜ୍ ଜିତିବାକୁ ସକ୍ଷମ ହୋଇଥିଲା। ଏହାପରଠାରୁ ଭାରତ କେବେ ହେଲେ ଓଭାଲରେ ଟେଷ୍ଟ ମ୍ୟାଚ୍ ଜିତି ନଥିଲା। ସେହିପରି ଇଂଲଣ୍ଡ ମଧ୍ୟ ପ୍ରଥମ ପରାସ୍ତ ପରେ ୫ଟି ମ୍ୟାଚ୍ରେ ଏଠାରେ ଭାରତକୁ ହରାଇ ପାରି ନଥିଲା। ପ୍ରଥମ ବିଜୟ ପରେ ଖେଳାଯାଇଥିବା ୫ଟି ଯାକ ମ୍ୟାଚ୍ ଡ୍ର ରହିଥିଲା। ତେବେ ୨୦୧୧ରେ ଇଂଲଣ୍ଡ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ ଇଣ୍ଡିଆକୁ ଏକ ଇନିଂସ ଓ ୮ରେ ପରାସ୍ତ କରିଥିଲା। ଏଥିସହ ଉକ୍ତ ଟେଷ୍ଟ ସିରିଜ୍କୁ ୪-୦ରେ କବଜା କରିଥିଲା। ୨୦୧୪ରେ ଭାରତ ଏକ ଇନିଂସ ୨୪୪ ରନ୍ ଓ ୨୦୧୮ରେ ୧୧୮ ରନରେ ହାରିଥିଲା। ଅର୍ଥାତ ୮ଟି ମ୍ୟାଚ୍ ପରେ ସୋମବାର ବିରାଟ ବାହିନୀ ଇଂଲଣ୍ଡକୁ ଓଭାଲରେ ହରାଇ ନୂଆ ରେକର୍ଡ ସୃଷ୍ଟି କରିଛି।ଭାରତ ୧୯୭୧ରେ ୧-୦ରେ ଜିତିଥିଲା। ଏବେ ଭାରତ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡରେ ଏକରୁ ଅଧିକ ମ୍ୟାଚ୍ ଜିତିଛି। ଶେଷଥର ପାଇଁ ୧୯୮୬ରେ କପିଲ ଦେବଙ୍କ ଟିମ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍କୁ ୨-୦ରେ ଜିତିଥିଲା। ସୋମବାର ଭାରତ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି। ଭାରତ ପ୍ରଥମ ଟିମ୍ ଯିଏ ଓଭାଲ ପଡ଼ିଆରେ ପ୍ରଥମ ଇନିଂସ୍ରେ ୫୦ରୁ ଅଧିକ ରନ୍ ପଛରେ ରହି ମଧ୍ୟ ଶେଷରେ ମ୍ୟାଚ୍ ଜିତିବାର ରେକର୍ଡ କରିଛି। ଏହି ମ୍ୟାଚ୍ରେ ଭାରତ ପ୍ରଥମ ଇନିଂସରେ ୧୯୧ ରନ୍ କରିଥିବା ବେଳେ ଇଂଲଣ୍ଡ ୨୯୦ ରନ୍ କରି ପ୍ରଥମ ଇନିଂସ୍ରେ ୯୯ ରନ୍ର ଲିଡ୍ ହାସଲ କରିଥିଲା। ତଥାପି ବିରାଟ ବାହିନର ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି। ଭାରତ ତୃତୀୟ ଥର ପାଇଁ ପୂର୍ବ ମ୍ୟାଚ୍ରେ ଇନିଂସ ପରାଜୟ ପରେ ଏହାର ପରବର୍ତ୍ତୀ ମ୍ୟାଚ୍ରେ ବିଜୟ ହାସଲ କରିଛି। ଲିଡ୍ସରେ ଇଂଲଣ୍ଡ ଭ୍ରମଣକାରୀ ଭାରତକୁ ଏକ ଇନିଂସ୍ ଓ ୭୬ରେ ହରାଇଥିଲେ। ଏହାର ପରବର୍ତ୍ତୀ ମ୍ୟାଚ୍ ଅର୍ଥାତ ୪ର୍ଥ ଟେଷ୍ଟରେ ଭାରତ ଓଭାଲରେ ଇଂଲଣ୍ଡକୁ ୧୫୭ ରନ୍ରେ ହରାଇଛି।
