ଓଭାଲ ଟେଷ୍ଟ ଜିତିଲା ଭାରତ
- ଇଂଲଣ୍ଡକୁ ୧୫୭ ରନରେ ଧୂଳି ଚଟାଇଲା ବିରାଟ ବାହିନୀ
ଲଣ୍ଡନ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ଲିଡ୍ସ ପରାଜୟର ମଧୁର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ। ଇଂଲଣ୍ଡକୁ ତା’ରି ମାଟିରେ ଧରାଶାୟୀ କରିଛି ବିରାଟ ବାହିନୀ। ଶେଷ ଦିନରେ ହିଁ ଇଂଲଣ୍ଡର ୧୦ ୱିକେଟ ଝଡ଼ାଇ ୧୫୭ ରନରେ ଭାରତ ଚଳିତ ସିରିଜ୍ରେ ଦ୍ୱିତୀୟ ବିଜୟ ହାସଲ କରିଛି। ଦ୍ବିତୀୟ ଇନିଂସରେ ମାତ୍ର ୨୧୦ ରନରେ ଅଊଆଉଟ ହୋଇଯାଇଛି ଇଂଲଣ୍ଡ । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ୨-୧ରେ ଆଗୁଆ ହୋଇଯାଇଛି ଟିମ ଇଣ୍ଡିଆ । ପ୍ରଥମ ଟେଷ୍ଟ ଡ୍ର ରହିବା ପରେ ଦ୍ବିତୀୟ ଟେଷ୍ଟକୁ ଭାରତ ଜିତିନେଇଥିଲା । ତୃତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ହୋଇଥିଲା । ତେବେ ଚତୁର୍ଥ ଟେଷ୍ଟରେ ଏହାର ବଦ୍ଲା ନେଇଛି ଭାରତ ।
ଭାରତ ଦେଇଥିବା ୩୬୮ ରନ୍ର ପିଛା କରୁଥିବା ଇଂଲଣ୍ଡ ଶେଷରେ ୨୧୦ ରନ୍ରେ ଅଲଆଉଟ ହୋଇଯାଇଛି। ଭାରତ ଏହି ମ୍ୟାଚ୍କୁ ୧୫୭ ରନ୍ରେ ଜିତି ଟେଷ୍ଟ ସିରିଜ୍ରେ ୨-୦ରେ ଆଗୁଆ ହୋଇଯାଇଛି। ଏବେ ୧୦ ତାରିଖରୁ ୫ମ ତଥା ଶେଷ ଟେଷ୍ଟ ଆରମ୍ଭ ହେବ।ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଡ୍ର ରହିଥିବା ବେଳେ ଲର୍ଡସରେ ଭାରତ ଜିତିଥିଲା। କିନ୍ତୁ ତୃତୀୟ ଟେଷ୍ଟରୁ ଇଂଲଣ୍ଡ ବାଜିମାତ କରି ସିରିଜ୍କୁ ୧-୧ରେ ବରାବର କରିଦେଇଥିଲା। ଏବେ ଭାରତ ୪ର୍ଥ ମ୍ୟାଚ୍କୁ ଜିତି ପୁଣି ୨-୦ରେ ଆଗୁଆ ହୋଇଯାଇଛି। ଭାରତ ୪ର୍ଥ ଦିବସରେ ଅଲଆଉଟ ହେବାପରେ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ରୋରୀ ବର୍ନସ ଓ ହସିବ ହମିଦ ଦମଦାର ବ୍ୟାଟିଂ କରିଥିଲେ। ୪ର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ବିନା ୱିକେଟରେ ୭୭ ରନ୍ କରିଥିଲା। ପଞ୍ଚମ ଦିନରେ ଦଳକୁ ଜିତିବାକୁ ୨୯୨ ରନ୍ର ଟାର୍ଗେଟ ରହିଥିବା ବେଳେ ଭାରତକୁ ୧୦ ୱିକେଟ ଦରକାର ଥିଲା। ଆଜି ଇଂଲଣ୍ଡର ଦୁଇ ଓପ୍ନର ଭଲ ଷ୍ଟାର୍ଟ ଦେଇଥିଲେ। ବର୍ନସ ଓ ହମିଦ ପ୍ରଥମେ ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତେବେ ବର୍ନସ୍ (୫୦) ଅର୍ଦ୍ଧଶତକ ମାରିବାର ପରବର୍ତ୍ତୀ ବଲରେ ହିଁ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଶାର୍ଦ୍ଦୁଲ ଠାକୁର ଆଉଟ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଡାୱିଡ୍ ମଲାନ୍ ମାତ୍ର ୫ ରନ୍ କରିଥିବା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ସେଟ୍ ହୋଇସାରିଥିବା ହସିବ ହମିଦ(୬୩) ଜାଡେଜାଙ୍କ ସ୍ପିନ୍ ଜାଲରେ ଫସିଯାଇଥିଲେ। ଇଂଲଣ୍ଡର ସ୍କୋର ୧୪୧ ରନରେ ଥିବା ବେଳେ ଜାଡେଜା ତାଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଏହାପରେ ୧ ରନ୍ ଭିତରେ ତିନି ୱିକେଟ୍ ହରାଇ ଭାରତ ଘରୋଇ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ ସର୍ବାଧିକ ରନ୍ କରିଥିବା ଓଲି ପପ୍ (୨) ଓ ଜନ୍ନି ବେୟାରଷ୍ଟୋ (୦)ଙ୍କୁ ଯଶ୍ରପ୍ରୀତ ବୁମ୍ରା କ୍ଲିନବୋଲ୍ଡ କରିଥିଲେ। ସେହିପରି ସ୍ପିନ୍ ଅଲରାଉଣ୍ଡର ମୋଇନ୍ ଅଲୀ (୦)ଙ୍କୁ ପୁଣିଥରେ ଆଉଟ୍ କରିଥିଲେ ଜାଡେଜା। ସୁପର୍ ଫର୍ମରେ ଥିବା କ୍ୟାପଟେନ୍ ଜୋ ରୁଟ୍ ଓ କ୍ରିସ୍ ଓକ୍ସ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଶାର୍ଦ୍ଦୁଲ ଠାକୁର। ଟିମର ସ୍କୋର ୧୮୨ ଥିବା ବେଳେ ଶାର୍ଦ୍ଦୁଲ ଇନଫର୍ମ ରୁଟ୍ (୩୬)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ଓକ୍ସ (୧୮)ଙ୍କୁ ଠିକ୍ ଚା’ ପାନ ବରତି ପୂର୍ବରୁ ପ୍ୟାଭିଲିୟନ୍ ପଠାଇ ଉମେଶ ଯାଦବ ଇଂଲଣ୍ଡର ଅଷ୍ଟମ ୱିକେଟ ଝଡ଼ାଇଥିଲେ। ଭାରତ ପକ୍ଷରୁ ଉମେଶ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବୁମ୍ରା, ଜାଡେଜା ଓ ଶାର୍ଦ୍ଦୁଲ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।
ସୂଚନା ଯେ, ଭାରତ ପ୍ରଥମ ଇନିଂସ୍ରେ ଶାର୍ଦ୍ଦୁଲଙ୍କ ବିସ୍ଫୋରକ ୫୭ ରନ୍ ବଳରେ ୧୯୧ ରନ୍ କରି ଅଲଆଉଟ ହୋଇଯାଇଥିଲା। ଇଂଲଣ୍ଡ କ୍ରିସ୍ ୱକ୍ସଙ୍କ ୫୦ ଓ ଓଲି ପପ୍ଙ୍କ ୮୧ ରନ୍ ବଳରେ ୨୯୦ ରନ୍ କରି ୯୯ ରନ୍ର ଲିଡ୍ ହାସଲ କରିଥିଲା। ଏହାର ଜବାବରେ ଭାରତ ରୋହିତ ଶର୍ମାଙ୍କ ୧୨୭, ଶାର୍ଦ୍ଦୁଲ ଠାକୁରଙ୍କ ୬୦, ଚେତେଶ୍ୱର ପୂଜାରାଙ୍କ ୬୧ ଓ ଋଷଭ ପନ୍ତଙ୍କ ୫୦ ବଲ୍ରେ ୪୬୬ ରନ୍ କରି ଅଲଆଉଟ ହୋଇଥିଲା।




