ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗ ମାମଲା ଦ୍ୱିତୀୟ ଦିନରେ ବନ କର୍ମଚାରୀଙ୍କୁ ପଚରା ଉଚରା ଜାରୀ
ଆଠଗଡ : ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତ କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗ୍ରାମର ୫୯ ବର୍ଷିୟ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଅଭିଯୋଗ ମାମଲାରେ ଅଟକ ବନ କର୍ମଚାରୀଙ୍କୁ ଆଜି ଦ୍ୱିତୀୟ ଦିନରେ ପୋଲିସର ଜେରା ଜାରୀ ରହିଛି । ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଓ କଟକ ଗ୍ରାମାଚଂଳ ଅତିରିକ୍ତ ଏସପି କୃଷ୍ଣପ୍ରସାଦ ପଟ୍ଟନାୟକଙ୍କ ଉପସ୍ଥିତିରେ ଗତକାଲି ସେମାନଙ୍କୁ ଜେରା କରାଯାଇଥିଲା । ଘଟଣାରେ ଆଠଗଡ଼ ପୋଲିସ ଆଠଗଡ଼ ବନଖଣ୍ଡର ଦୁଇ ଏସିଏଫ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ, ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୧୪ ଜଣ ବନ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । ଅଭିଯୁକ୍ତଙ୍କ ବିରୋଧରେ ୩୦୨, ୪୦୧ ସହିତ ଅନ୍ୟାନ୍ୟ ଦଫାରେ ବଡ଼ମ୍ବା ଥାନାରେ ମାମଲା ରୁଜ୍ଜୁ ହୋଇଛି । ପ୍ରକାଶ ଥାଉକି, ହାତୀ ଶିକାର କରିବା ଓ ଦାନ୍ତ କାଟିବା ଅଭିଯୋଗରେ ଗତ ୫ ତାରିଖରେ ବଡ଼ମ୍ବା ରେଞ୍ଜ ର ବନକର୍ମଚାରୀମାନେ ଧନେଶ୍ୱରଙ୍କୁ ଘରୁ ଉଠାଇ ନେଇଥିଲେ । ରେଞ୍ଜର ସୁବ୍ରତ ବେହେରାଙ୍କ ହେପାଜତରେ ରଖି ଧନେଶ୍ୱରଙ୍କୁ ପଚରାଉଚରା କରାଯାଉଥିଲା । ତେବେ ଗତକାଲି ଭୋରରୁ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଧନେଶ୍ୱରଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡର ଦାଗ ରହିଛି । ଯାହାକୁ ନେଇ ଧନେଶ୍ୱରଙ୍କୁ ବନ କର୍ମଚାରୀମାନେ ପିଟି ପିଟି ମାରି ଦେଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗତକାଲି ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଘଟଣାର ପ୍ରତିବାଦରେ ସାତଗୋଛିଆ ଗ୍ରାମବାସୀଙ୍କ ପକ୍ଷରୁ ବଡ଼ବାରସିଂହ ନିକଟରେ ୬୫ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରାଯାଇଥିଲା । ଉତ୍ୟେକ୍ତ ଲୋକେ ବାଣପୁର ବିଟ୍ ହାଉସରେ ଭଙ୍ଗାରୁଜା କରିବା ସହ ସେଠାରେ ନିଆଁ ଲଗାଇ ଦେଇଥିଲେ । ତେବେ ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡର ଦାଗ ରହିଥିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଧନେଶ୍ୱରଙ୍କ ମୃତ୍ୟୁ କିପରି ଘଟିଲା ତାହା ସ୍ପଷ୍ଟ ହେବ ବୋଲି ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖରେ ବଡ଼ମ୍ବା ରେଞ୍ଜ୍ ମାଣିଆବନ୍ଧ ବିଟ୍ ଅଧିନ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତାହାତୀର ମୃତଦେହ ଠାବ ହୋଇଥିଲା ।
