ଶିମିଳିପାଳରୁ ଶୀକାରୀ ଗିରଫ, ବନ୍ଧୁକ ଜବତ
ବାରିପଦା : ଶିମିଳିପାଲକୁ ଶୀକାର ମୁକ୍ତ ଅଂଚଳ ଘୋଷଣା କରାଯାଇଥିଲେ ମଧ୍ୟ ଶୀକାର ଥମିବାର ନାମ ଧରୁନି । ବିଭିନ୍ନ ସମୟରେ ବାଘ ଚମଡା, ହାତିଦାନ୍ତ, ବଜ୍ରକାପ୍ତା ଇତ୍ୟାଦି ଜବଦ ହେଉଥିବା ବେଳେ, ଶୀକାରୀ ମଧ୍ୟ ଧରାପଡୁଛନ୍ତି । ନିକଟ ଅତୀତରେ ଶିମିଳିପାଳ ହାତୀଶୀକାର ଏବଂ ପ୍ରମାଣ ନଷ୍ଟ ପାଇଁ ହାତୀର ଶବକୁ ପୋଡି ଦେଇଥିବା ଘଟଣାକୁ ନେଇ ଶିମିଳିପାଳ ଚର୍ଚ୍ଚାରେ ରହିଥିବା ବେଳେ, ବୁଧବାର ରାତିରେ ଡୁକୁରା ରେଂଜର ପେଟ୍ରୋଲିଂ କରୁଥିବା ସମୟରେ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବିଭାଗ ଖଣ୍ଡାଚିରା ଗାଁର ପାରାନ ସୋରେନ ନାମକ ଜଣେ ବ୍ୟକ୍ତି ଶୀକାର ଉଦେଶ୍ୟରେ ଦେଶୀବନ୍ଧୁକ ଧରି ଯାଉଥିବା ବେଳେ ବନ କର୍ମଚାରୀଙ୍କ ହାବୁଡରେ ପଡିଯିବାରୁ ବନ କର୍ମଚାରୀଙ୍କ ଉପରେ ଗୁଳିଚାଳନା କରିବାକୁ ପଛାଇ ନାହିଁ । ତେବେ ବନକର୍ମଚାରୀ ଜଣକ ତାଲିମପ୍ରାପ୍ତ ହୋଇଥିବାରୁ ଉପସ୍ଥିତ ବୁଦ୍ଧି ଖଟାଇ ବର୍ତି ଯାଇଥିଲେ । ଶୀକାରୀ ଜଣକ ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ବେଳେ, ତାଙ୍କୁ ବନକର୍ମଚାରୀ ମାନେ ଗିରଫ କରି ତାଙ୍କଠାରୁ ବନ୍ଧୁକ ଜବତ କରିଥିବାର ଜଣାଯାଇଛି । ଆଜି ଅଭିଯୁକ୍ତକୁ ଉଦଳା କୋର୍ଟ ଚାଲାଣ କରାଯାଇଥିବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି । ତେବେ ଗତକାଲି ସଂଧ୍ୟାରୁ ଘଟଣା ଘଟିଥିଲେ ମଧ୍ୟ ତାକୁ ଅଟକ ରଖି ବିଭାଗ ପକ୍ଷରୁ ପଚରା ଉଚରା କରାଯାଉଥିଲା ବୋଲି ଜଣାଯାଇଛି ।
