ଭାରତୀୟ ବଂଶୋଦ୍ଭବ ଡ. ଇମତିଆଜ ସୋଲିମାନ ହେଲେ ‘ସାଉଥ ଆଫ୍ରିକାନ ଅଫ ଦି ଇଅର’
କେପଟାଉନ୍ : ଭାରତୀୟ ବଂଶୋଦ୍ଭବ ଫିଲାନ୍ଥ୍ରୋପିଷ୍ଟ (ଗରିବ ଶ୍ରେଣୀର ବ୍ୟକ୍ତିଙ୍କୁ ଅର୍ଥ ଦେଇ ସାହାଯ୍ୟ କରୁଥିବା ବ୍ୟକ୍ତି) ତଥା ବିପର୍ଯ୍ୟୟ ରିଲିଫ ଗ୍ରୁପ ‘ଗିଫ୍ଟ ଅଫ୍ ଦ ଗିଭର୍ସ’ ପ୍ରତିଷ୍ଠାତା ଡକ୍ଟର ଇମତିଆଜ ସୋଲିମାନ ଚଳିତ ବର୍ଷ ପାଇଁ ସାଉଥ ଆଫ୍ରିକାନ ଅଫ ଦି ଇଅର ହୋଇଛନ୍ତି । ଏହି ସମ୍ମାନକୁ ସେ ଦୈନିକ ଖବରକାଗଜ ଡେଲି ମାଭେରିକ୍ ଦ୍ବାରା ସମ୍ମାନିତ ହୋଇଛନ୍ତି ।
ଇମତିଆଜ ଭାରତୀୟ ବଂଶୋଦ୍ଭବ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାରେ ବାସ କରୁଛନ୍ତି । ସେଠାରେ ସେ ଅନେକ ଗରିବ ଶ୍ରେଣୀର ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି । ଏଥିଲାଗି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କର ଏପରି କରିବାର ପଛରେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଉଦ୍ଦେଶ୍ୟ ରହିଛି । ଇମତିଆଜ ମୁସଲମାନ ହୋଇଥିବାରୁ ସେ ଦେଶରେ ଏମିତି ଲୋକଙ୍କୁ ସାହାଯ୍ୟ କରି ମୁସଲିମ ଧର୍ମାବଲମ୍ବୀଙ୍କ ପାଇଁ ଥିବା ଲୋକଙ୍କ ଭାବନାକୁ ବଦଳାଇବାକୁ ଚେଷ୍ଟା କରିଥିବା କେପଟାଉନ୍ରେ ନିଜ ଅଭିଭାଷଣରେ କହିଛନ୍ତି ।
ଇମତିଆଜ ୧୯୯୪ ମସିହାରୁ ‘ଗିଫ୍ଟ ଅଫ୍ ଦ ଗିଭର୍ସ’ ସଂସ୍ଥାକୁ ଆରମ୍ଭ କରିଥିଲେ । ତୁର୍କୀରେ ଥିବା ଇମତିଆଜଙ୍କ ଧର୍ମଗୁରୁ ତାଙ୍କୁ ଏପରି କରିବାକୁ କହିଥିଲେ । ଏହାପରେ ସେ ଲୋକଙ୍କ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ । ଏହି ସଂସ୍ଥା ପ୍ରାୟ ୪୪ ଦେଶକୁ ସାହାଯ୍ୟ ଯୋଗାଇଥାଏ ବୋଲି ମଧ୍ୟ ଜଣାପଡ଼ିଛି । ଭାରତ ଓ ପାକିସ୍ତାନରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସେ ଦେଶକୁ ସହାୟତା ଯୋଗାଇଥାନ୍ତି । ନିଜର ମହତ କାର୍ଯ୍ୟ ପାଇଁ ଇମତିଆଜ ସୋଲିମାନ ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସୋଲିମାନ ଆହୁରି ଅନେକ ଆୱାର୍ଡ ମଧ୍ୟ ଜିତିଛନ୍ତି । ସେ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ନାଗରିକ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।
