ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ
ଚମ୍ପୁଆ : ଭିଜିଲାନ୍ସ ଜାଲରେ ଧରା ପଡିଲେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର କୁମାର ସେଠୀ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର କୁମାର ସେଠୀ ଆଜି ଶୁକ୍ରବାର ତାଙ୍କ କାର୍ଯ୍ୟାଳୟରେ ଯୋଡ଼ାର ପ୍ରାଣୀଧନ ଡାକ୍ତର ସୁବାଶିଷ ମହାପାତ୍ରଙ୍କ ଛୁଟି ଦରମା କରାଇଦେବା ପାଇଁ ଏହି ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଡାକ୍ତର ସୁବାଶିଷ ମହାପାତ୍ର ଗତ ଜାନୁଆରୀ ୧୭ – ୨୦୨୨ରୁ ମାର୍ଚ୍ଚ ୩୦ ଯାଏଁ ଛୁଟିରେ ଥିବାରୁ ଏହି ଛୁଟି ଦରମା କରାଇବା ପାଇଁ ବରିଷ୍ଠ କିରାଣୀ ଶ୍ରୀ ସେଠୀ ତାଙ୍କୁ ଦଶ ହଜାର ଟଙ୍କା ମାଗିଥିଲେ । ଯାହାକୁ ନେଇ ସେ ଭିଜିଲାନ୍ସ ର ଦ୍ୱାରସ୍ଥ ହେବା ପରେ ଭିଜିଲାନ୍ସର ଯୋଜନା ମୁତାବକ ଆଜି ତାଙ୍କ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ଦେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ଲାଂଚ ଟଙ୍କା ଜବତ କରାଯାଇଥିବାବେଳେ ତାଙ୍କୁ ଆରେଷ୍ଟ କରି କେନ୍ଦୁଝର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି । ସୂଚନା ଅନୁଯାୟୀ, ଶ୍ରୀସେଠୀଙ୍କ କାର୍ଯ୍ୟାଳୟ ସମେତ ତାଙ୍କ ବାସଭବନ ଓ ଯାଜପୁର ଜିଲ୍ଲାର ନିଜ ଘରେ ମଧ୍ୟ ଏକକାଳୀନ ଚଢ଼ାଉ ହୋଇଥିବା ଜଣାପଡିଛି ।
