ଦେଓଝର ଗ୍ରାମରେ ପୋଖରୀରେ ବୁଡି ନାବାଳକ ମୃତ
ଚମ୍ପୁଆ : ଯୋଡ଼ା ଥାନା, ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦେଓଝର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ରାମରେ ଥିବା ଏକ ବଡ଼ ବନ୍ଧକୁ ଗାଧୋଇବାକୁ ଯାଇ ଜଣେ ନାବାଳକ ର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଜେଓଝର ଗ୍ରାମର ଟଙ୍କଧର ଗୁଇଆ ଙ୍କ ୧୦ ବର୍ଷର ନାବାଳକ ପୁଅ ସାମଲ ଗୁଇଆ ଗତ କାଲି ଅପରାହ୍ନ ପ୍ରାୟ ଚାରି ଟା ସମୟରେ ଏକୁଟିଆ ଗ୍ରାମରେ ଥିବା ନିକଟସ୍ଥ ଏକ ବଡ଼ ବନ୍ଧକୁ ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲା । ଦୀର୍ଘ ସମୟ ବିତି ସନ୍ଧ୍ୟା ହୋଇ ଯାଇଥିଲେ ମଧ୍ୟ ସାମଲ ଘରକୁ ନ ଆସିବାରୁ ଘର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ରାତି ସାରା ଗ୍ରାମର ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ପାଇନଥିବାବେଳେ ଆଜି ସକାଳେ ପୋଖରୀ ଗାଧୁଆ ଘାଟରେ ଟଙ୍କଧର ପୁଅର ସାର୍ଟ ପେଂଟ ଥୁଆ ହୋଇଥିବା ଦେଖି ସନ୍ଦେହ କରିବା ସହିତ ଗ୍ରାମବାସୀଙ୍କୁ ପୁଅକୁ ଖୋଜିବା ପାଇଁ ସାହାଯ୍ୟ ମାଗିଥିବାବେଳେ ଗ୍ରାମବାସୀ ମଧ୍ୟ ସାମଲ ପାଣିରେ ବୁଡ଼ିଯାଇଥିବା ସନ୍ଦେହ କରିଥିଲେ କ୍ଷ ସଙ୍ଗେ ସଙ୍ଗେ ଗ୍ରାମବାସୀ ନିକଟସ୍ଥ ବିଲେଇପଦା ଫାଣ୍ଡି ଓ ବିଲେଇପଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବିଲେଇପଦା ପୋଲିସ ଓ ବିଲେଇପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ପୋଖରୀ ଭିତରୁ ସାମଲର ମୃତ ଦେହ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ତେବେ ସାମଲ ର ଅକାଳ ବିୟୋଗରେ ଗ୍ରାମରେ ଶୋକରଛାୟା ଖେଳି ଯାଇଛି ।
