କେନ୍ଦୁଝର ଜିଲ୍ଲାପାଳ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ
କେନ୍ଦୁଝର : ଭୋଟର ତାଲିକା ସଂଶୋଧନ ଓ ଶୁଦ୍ଧିକରଣ ପ୍ରକ୍ରିୟାରେ ଉଲ୍ଲେଖନୀୟ ସଫଳତା ଓ ଅବଦାନ ପାଇଁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ରାଜ୍ୟସ୍ତରରେ ସଂବର୍ଦ୍ଧିତ ହୋଇଛନ୍ତି । ଚଳିତ ଜାନୁଆରୀ ୨୫ ତାରିଖ ଦିନ ରାଜଧାନୀ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସଂବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବିଶେଷ ଭାବରେ ଜନଜାତି ଗୋଷ୍ଠୀ ଯଥା- ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ଘଟଗାଁ ଆଦି ଅଂଚଳରେ ବସବାସ କରୁଥିବା ଜୁଆଙ୍ଗ ଓ ପାଉଡି ଭୂୟାଁ ସଂପ୍ରଦାୟର ୧୮ ବର୍ଷ କିମ୍ବା ତଦ୍ଦୁର୍ଦ୍ଧ ବୟସ୍କଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ କରାଇବା ଏବଂ ସେମାନଙ୍କୁ ମତଦାନ ଓ ନିର୍ବାଚନ ପ୍ରକ୍ରିୟା ସଂପର୍କରେ ସଚେତନ କରାଇବା କ୍ଷେତ୍ରରେ ଜିଲ୍ଲାପାଳ ଶ୍ରୀ ଠାକରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସଂବର୍ଦ୍ଧିତ କରାଯାଇଛି । ଏହି ସମାରୋହରେ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଉପସ୍ଥିତ ଥିଲେ ।
