ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇଁ ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଦାବି
ବାଲେଶ୍ୱର : ସାମ୍ପ୍ରତିକ ପରିସ୍ଥିତିରେ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ ଆଜିର ଦୈନନ୍ଦିନ ମୂଲ୍ୟବୃଦ୍ଧି ଘଟି ଚାଲିଥିବା ବେଳେ ଆର୍ଥିକ ଅନଗ୍ରସର ପରିବାରର ବୃଦ୍ଧାବୃଦ୍ଧଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ବାର୍ଦ୍ଧକ୍ୟଭତ୍ତା ବୃଦ୍ଧି ଦିଗରେ ବର୍ଷବର୍ଷ ଧରି ହେୟ ମନୋଭାବ ପ୍ରଦର୍ଶନ କରିଆସୁଥିବା ଘଟଣାର ପୁନର୍ବିଚାର କରି ସେମାନଙ୍କୁ ମିଳୁଥିବା ମାସିକ ୫ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତାର ପରିମାଣକୁ ସର୍ବନିମ୍ନ ୧୫ଶହରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବରିଷ୍ଠ ନାଗରିକ ମଞ୍ଚପକ୍ଷରୁ ସରକାରଙ୍କ ଠାରେ ଦୃଢ଼ ଦାବି କରାଯାଇଛି । ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନୃତ୍ୟ ସଙ୍ଗୀତ କଳାମନ୍ଦିର ଠାରେ ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକରେ ଅଭିଯୋଗ କରାଯାଇଛି ଯେ ପଡ଼ୋଶୀ ରାଜ୍ୟଗୁଡ଼ିକ ସମେତ ଦେଶର ଅଧିକାଂଶ ରାଜ୍ୟ ସରକାର ମାସିକ ୨୫୦୦ ଟଙ୍କା ପର୍ଯ୍ୟନ୍ତ ବାର୍ଦ୍ଧକ୍ୟଭତ୍ତା ପ୍ରଦାନ କରୁଥିବାବେଳେ ଓଡ଼ିଶା ସରକାର ବାରମ୍ବାର ଦାବି ସତ୍ତ୍ୱେ ନିଦାବିଷ୍ଣୁ ସାଜିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ବୈଠକ ଆରମ୍ଭରେ ମଞ୍ଚର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନବକୃଷ୍ଣ ଚୌଧୁରୀଙ୍କ ୧୨୨ତମ ଜୟନ୍ତୀ ପାଳନ ଅବସରରେ ତାଙ୍କ ଦ୍ୱାରା ପ୍ରଣୀତ ମାତୃଭାଷାକୁ ସରକାରୀ ଭାଷାରେ ପରିଗଣିତ କରାଯିବା ଆଇନକୁ ଏବର ଓଡ଼ିଶା ସରକାର ଯୁଦ୍ଧିକାଳୀନ ଭିତ୍ତିରେ କାର୍ଯ୍ୟକରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ବୈଠକ ପକ୍ଷରୁ ପୂଣ୍ୟାତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜିଲାର ଅସହାୟ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କ ଥଇଥାନ ଓ ପୁନର୍ବାସ ଲାଗି ସରକାରଙ୍କ ପ୍ରସ୍ତାବିତ ଜିଲ୍ଲାସ୍ତରୀୟ ସମନ୍ୱିତ ଭିତ୍ତିଭୂମି କମ୍ପେ୍ଲକ୍ସ ପ୍ରତିଷ୍ଠା ସକାଶେ ଜିଲ୍ଲାପାଳ ଓ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଲଗାତର ଉଦ୍ୟମକୁ ବୈଠକରେ ସାଧୁବାଦ ଜ୍ଞାପନ କରାଯାଇଥିଲା ।
କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରଣାଳୟ ଦ୍ୱାରା ଷାଠିଏ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କ ଲାଗି ପୂର୍ବରୁ ପ୍ରଚଳିତ ହୋଇଆସୁଥିବା ରେଳଭଡ଼ାର ରିହାତି ବ୍ୟବସ୍ଥାକୁ ଉଚ୍ଛେଦ କରାଯିବା ଘଟଣାର ପୁନର୍ବିଚାର କରାଯିାବକୁ ବୈଠକରେ ଦାବି ହୋଇଥିଲା । ଜିଲାରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସକାଶେ ବିଭିନ୍ନ ଦାବି ନେଇ ବାଲେଶ୍ୱର ସରକାରୀ ମେଡିକାଲ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ୨୮ତାରିଖ ଦିନ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଗଣଧାରଣା ନିଷ୍ପତ୍ତିକୁ ବୈଠକରେ ଦୃଢ଼ ସମର୍ଥନ ଜ୍ଞାପନ କରାଯାଇଥିଲା । ବୈଠକରେ ଶରତ ଚନ୍ଦ୍ର ଦାଶ, କମଳାକାନ୍ତ ବେହେରା, ରାଜେନ୍ଦ୍ର ରାଉତ, ବିରେନ୍ଦ୍ର ନାରାୟଣ ପ୍ରହରାଜ, ଚିତ୍ରାରାଣୀ ପାତ୍ର, ସୀତାରାମ ପ୍ରଧାନ, ପରମାନନ୍ଦ ପଣ୍ଡା, ଲକ୍ଷ୍ମୀପ୍ରିୟା ଜେନା, ଗୋପୀନାଥ ଦାସ, ଲକ୍ଷ୍ମୀନାରାୟଣ ଘୋଷ, ଦାମୋଦର ନାୟକ, ମଧୁସୂଦନ ଜେନା, ବାସନ୍ତୀ କର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ଓ କଲ୍ୟାଣୀ ନନ୍ଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଉପସଭାପତି ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ସମସ୍ତ ବିଷୟରେ ଆଲୋଚନା କରି ଧନ୍ୟବାଦ ଜ୍ଞାପନ କରିଥିଲେ ।
