ଆଜିଠୁ ବିନା କଟକଣାରେ ଶ୍ରୀଜିଉଙ୍କ ଦର୍ଶନ
ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଟିଲା କଟକଣା । ଦୁଇବର୍ଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋହଳ ହୋଇଛି କଟକଣା। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଉ ଲାଗିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର । ଆଉ କିଓସ୍କର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । କରୋନା ସଂକ୍ରମଣ ହ୍ରାସ ପାଇବା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି । ଗତ ୧୪ ତାରିଖରେ ଛତିଶା ନିଯୋଗ ବୈଠକରେ କଟକଣା କୋହଳ ନେଇ ନିଷ୍ପତି ହୋଇଥିଲା । ଏଣିକି ଭକ୍ତମାନେ ସକାଳ ୬ରୁ ରାତି ୯ ଯାଏ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।
କୋଭିଡ୍ ସଂକ୍ରମଣ ହାର ସଂପୂର୍ଣ୍ଣ ବନ୍ଦ ହୋଇନଥିବାରୁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ସଂକ୍ରମଣ ବଢିବା ପରେ ୨୦୨୦ ଫେବ୍ରୁଆରୀ ୨୨ ତାରିଖରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ କରାଯାଇଥିଲା । ଏହା ପରେ କଟକଣାରେ ଦର୍ଶନ ଆରମ୍ଭ ହେଇଥିଲା । ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍ ପ୍ରମାଣପତ୍ର ଦେଖାଇବାକୁ ପଡ଼ୁଥିଲା । ଯାହାକୁ ଆଜିଠାରୁ ବନ୍ଦ କରାଯାଇଛି ।
