ବିଶ୍ୱକୁ କରୋନା ମୁକ୍ତ ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲେ ରାଷ୍ଟ୍ରପତି
ପୁରୀ : ଭାରତର ବିଭିନ୍ନ ଭାଗରେ ବିବିଧ ପରମ୍ପରା ଓ ଧାର୍ମିକ ପ୍ରଣାଳୀ ପ୍ପଚଳିତ ରହିଛି । ହେଲେ ଏହି ସବୁ ଆସ୍ଥା ପଛରେ ଏକ ମାତ୍ର ବିଚାର ରହିଛି ଓ ତାହା ହେଲା ଇଶ୍ୱର ଭକ୍ତି ସହିତ ସମ୍ପୂର୍ଣ ମାନବିକତାକୁ ଗୋଟିଏ ପରିବାର ବୋଲି ମନେ କରି ସମସ୍ତଙ୍କ କଲ୍ୟାଣ ପାଇଁ କାମ କରିବା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି । ପୁରୀ ଠାରେ ଗୌଡୀୟ ମଠର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀମଦ ଭକ୍ତ ସିଦ୍ଧାନ୍ତଙ୍କ ୧୫୦ ତମ ଜୟନ୍ତୀର ଉଦଘାଟନ ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି । ସେ କହିଛନ୍ତି ଯେ ପରମ ଶକ୍ତି ସମସ୍ତ ରୂପରେ ପୂଜନୀୟ । ହେଲେ ଭାରତରେ ଭକ୍ତି ଭାବରେ ଇଶ୍ୱରକୁ ପୂଜା କରିବାର ପରମ୍ପରା ସବୁଠାରୁ ଗୁରୁତ୍ୱପୂର୍ଣ । ଆମ ଭାରତ ଭୂମି ଧନ୍ୟ କାରଣ ଏଠାରେ ଚୈତନ୍ୟ ମହାପ୍ରଭୁଙ୍କ ଭଳି ମହାନ ପୁରୁଷ ଜନ୍ମ ନେଇ ନିସ୍ୱାର୍ଥ ଉପାସନାର ମାର୍ଗ ଦେଖାଇଛନ୍ତି ।
ରାଷ୍ଟ୍ରପତି କହିଛନ୍ତି ଯେ ଧର୍ମକୁ ଆଧାର କରି ମାନବତାର ବିଭାଜନ କରାଯାଇପାରିବ ନାହିଁ । ସତ୍ୟକୁ ବିଭାଜିତ କରିହେବ ନାହିଁ । ଗୋଟିଏ ସତ୍ୟକୁ ଭିନ୍ନ ଭିନ୍ନ ରୂପରେ ବର୍ଣ୍ଣନା କରାଯାଇଥାଏ । ଋଗବେଦ ରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି :ଏକଂ ସଦ୍ ବିପ୍ରା ବହୁଧା ବଦନ୍ତି ଅର୍ଥାତ୍ ସତ୍ୟ ଏକ, ବିଦ୍ୱାନ ଲୋକମାନେ ଏହାକୁ ଅନେକ ପ୍ରକାରରେ ବ୍ୟାଖ୍ୟା କରିଥାନ୍ତି । ସେ କହିଛନ୍ତି ଯେ ସେ ସେହି ପରମଶକ୍ତି ନିଜର ସବୁ ରୂପରେ ପୂଜନୀୟ ଅଟନ୍ତି । ଭାରତରେ ଭକ୍ତି-ଭାବ ନେଇ ଈଶ୍ୱରଙ୍କୁ ପୂଜା କରିବାର ପରମ୍ପରା ସର୍ବାଧିକ ମହତ୍ୱପୂର୍ଣ୍ଣ ଦିଗ ଭାବେ ରହି ଆସିଛି । ଆମର ଏହି ଭାରତଭୂମି ଧନ୍ୟ, ଯେଉଁଠି ଅନେକ ମହାନ ବିଭୂତିମାନେ ଲୋକମାନଙ୍କୁ ନିସ୍ୱାର୍ଥ ଉପାସନାର ମାର୍ଗ ପ୍ରଦର୍ଶିତ କରିଛନ୍ତି । ସେ କହିଛନ୍ତି .ଯେ ଏପରି ମହାନ ବିଭୂତିମାନଙ୍କ ମଧ୍ୟରେ ଚୈତନ୍ୟ ମହାପ୍ରଭୁଙ୍କୁ ବିଶେଷ ମାନ୍ୟତା ପ୍ରାପ୍ତ ହୋଇଛି । ତାଙ୍କୁ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ଅବତାର ମଧ୍ୟ କୁହାଯାଏ । ସେଥିପାଇଁ ମହାପ୍ରଭୁ ଶବ୍ଦର ଉପଯୋଗ ଈଶ୍ୱରଙ୍କ ନାମ ବ୍ୟତୀତ କେବଳ ଶ୍ରୀ ଚୈତନ୍ୟଙ୍କ ପାଇଁ କରାଯାଇଥାଏ । ତାଙ୍କର ବିଲକ୍ଷଣ ଭକ୍ତିରେ ଅନୁପ୍ରାଣିତ ହୋଇ ବହୁସଂଖ୍ୟାରେ ଲୋକମାନେ ଭକ୍ତି ମାର୍ଗ ଚୟନ କରିଥିଲେ । ସେ କହିଛନ୍ତି ଯେ ଚୈତନ୍ୟ ମହାପ୍ରଭୁ କହୁଥିଲେ “ମନୁଷ୍ୟ ନିଜକୁ ତୃଣ ସମାନ ଛୋଟ ମନେ କରି ବିନୀତ ଭାବନା ନେଇ ଭଗବତ୍ ନାମକୁ ସ୍ମରଣ କରିବା ଉଚିତ୍ । ସେ ବୃକ୍ଷ ଠାରୁ ମଧ୍ୟ ଅଧିକ ସହିଷ୍ଣୁ ହେବା ଉଚିତ୍ । ମିଥ୍ୟା ପ୍ରତିଷ୍ଠା ଭାବନାରୁ ମୁକ୍ତ ହେବା ଆବଶ୍ୟକ ଏବଂ ଅନ୍ୟ ଲୋମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଲାଗି ସବୁବେଳେ ପ୍ରସ୍ତୁତ ରହିବା ଉଚିତ୍ । ମନୁଷ୍ୟର ଏହି ଭାବ ରହିବା ଉଚିତ ଯେ ଈଶ୍ୱର ସର୍ବଦା କୀର୍ତନୀୟ ଅଟନ୍ତି ଅର୍ଥାତ୍ ସବୁବେଳେ ଈଶ୍ୱରଙ୍କୁ ସ୍ମରଣ କରିବା ଜାରି ରହିବା ଉଚିତ୍ । ସେ କହିଛନ୍ତି ଯେ ଭକ୍ତି ମାର୍ଗର ସନ୍ଥମାନଙ୍କର ଏହି ବିଶେଷତ୍ୱ ସେ ସମୟରେ ପ୍ରଚଳିତ ଧର୍ମ, ଜାତି ଓ ଲିଙ୍ଗ ଭେଦ ତଥା ଧାର୍ମିକ କର୍ମକାଣ୍ଡ ଠାରୁ ଊର୍ଦ୍ଧ୍ୱରେ ଥିଲା । ତେଣୁ ଏଥିରୁ ପ୍ରତ୍ୟେକ ବର୍ଗର ଲୋକମାନେ ପ୍ରେରଣା ନେଇପାରୁଥିଲେ ଏବଂ ସେମାନେ ଏହି ମାର୍ଗର ଶରଣାଗତ ମଧ୍ୟ ହୋଇଥିଲେ । ଅନୁରୂପ ଭାବେ ଗୁରୁ ନାନକ ଭକ୍ତି ମାର୍ଗରେ ଅଗ୍ରସର ହୋଇ ଏକ ସମାନତାପୂର୍ଣ୍ଣ ସମାଜ ନିର୍ମାଣ ପାଇଁ ପ୍ରୟାସ କରିଥିଲେ ।
ଭକ୍ତିର ଏହି ଧାରା ଦେଶ ବାହାରେ ବିଦେଶରେ ମଧ୍ୟ ପ୍ରବାହିତ ହୋଇ ଆସିଛି । ଏହା କୁହାଯାଇପାରେ ଯେ ଚୈତନ୍ୟ ମହାପ୍ରଭୁ ଭକ୍ତିର ଯେଉଁ ମହାନ ବଟବୃକ୍ଷ ବିକଶିତ କରିଥିଲେ ତାହାର ବିଭିନ୍ନ ଶାଖା ପ୍ରଶାଖା ଦେଶ-ବିଦେଶରେ ପ୍ରସ୍ଫୁଟିତ ପଲ୍ଲବିତ ହୋଇଚାଲିଛି । ଏହି ପରମ୍ପରାରେ ଇସ୍କନର ପ୍ରତିଷ୍ଠାତା ସ୍ୱାମୀ ଭକ୍ତି ବେଦାନ୍ତ ପ୍ରଭୁପାଦ ମଧ୍ୟ ଆସିଥାନ୍ତି, ସେ ପାଶ୍ଚାତ୍ୟ ରାଷ୍ଟ୍ରରେ, ବିଶେଷ କରି ଆମେରିକାରେ ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତି ବାର୍ତାକୁ ପହଂଚାଇଥିଲେ । ଈଶ୍ୱରଙ୍କ ଭକ୍ତିର ଏହି ସବୁ ଧାରା ବସ୍ତୁତଃ ଗୋଟିଏ ସତ୍ୟ ସହ ଜଡ଼ିତ ଏବଂ ଏହାର ବୃହତ ସ୍ୱରୂପ ସମ୍ପୂର୍ଣ୍ଣ ବିଶ୍ୱରେ ଦେଖିବାକୁ ମିଳିଥାଏ । ସେ କହିଛନ୍ତି ଯେ ଈଶ୍ୱରଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣର ଭକ୍ତି ମାର୍ଗର ବିଶେଷତ୍ୱ କେବଳ ଆଧ୍ୟାତ୍ମିକ କ୍ଷେତ୍ରରେ ନୁହେଁ ବରଂ ମାନବତାର ସେବାକୁ ସାକାର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଶୈଳୀରେ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ମାନବ ସେବା ପ୍ରତି ଏହି ସମର୍ପଣ – ବୃତିର ଏକ ରୂପରେ ଆମେ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ କରୁଥିବା କର୍ତବ୍ୟ ନିଷ୍ଠାରେ ଦେଖିବାକୁ ପାଇଥାଉ ।
