ସଂକ୍ରମଣ ରେକର୍ଡ ଭାଙ୍ଗିଲା ଫ୍ରାନ୍ସ, ଦିନକରେ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ
ପ୍ୟାରିସ୍ : ଫ୍ରାନ୍ସରେ ପୁଣି ବଢିଲା ମହାମାରୀ ସଙ୍କଟ । ଆଜି ଦେଶରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ଲକ୍ଷାଧିକ ସଂକ୍ରମିତ । କୋଭିଡ ମହାମାରୀ ସଂକ୍ରମଣ ଆରମ୍ଭ ହେବା ପର ଠାରୁ ସମସ୍ତ ରେକର୍ଡକୁ ଭାଙ୍ଗିଛି ଫ୍ରାନ୍ସର ଦୈନିକ ସଂକ୍ରମଣ । ଯାହା ପୁଣି ଥରେ ଦେଶବାସୀଙ୍କ ଚିନ୍ତା ମଧ୍ୟ ବଢାଇଛି । ଏହି ବ୍ୟାପକ ସଂକ୍ରମଣ ସହ ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି । ଯାହା ଫଳରେ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରତି ମଧ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ବୃଦ୍ଧି ପାଇଛି ।
ସେହିପରି ଫ୍ରାନ୍ସର ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଫ୍ରାନ୍ସରେ ମୋଟ ମୃତ୍ୟୁ ସଂଖ୍ୟା 122,000 ରୁ ଅଧିକରେ ପହଞ୍ଚିଛି । ବର୍ତ୍ତମାନ ସାରା ବିଶ୍ବରେ ଦେଖାଯାଇଥିବା ନୂଆ ଭ୍ୟାରିଏଣ୍ଟ ଚିନ୍ତା ବଢାଉଥିବାବେଳେ ଏପରି ସ୍ଥିତିରେ ଦ୍ରୁତ ସଂକ୍ରମଣ ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସାମ୍ପ୍ରତିକ ସ୍ଥିତିକୁ ଦେଖି ଫ୍ରାନ୍ସରେ ପୁଣି ସାଧାରଣ ଜୀବନଯାତ୍ରା ଉପରେ କଟକଣା ମଧ୍ୟ ବଢିବାରେ ଲାଗିଛି ।
