ବାଲେଶ୍ୱରରେ ‘ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚ’ ଗଠନ
ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ବିଭିନ୍ନ ଅମଲା ସଂଘ ଏକତ୍ରିତ ହୋଇ ଗୁରୁବାର ଏକ ସାଧାରଣ ସଭା ଆୟୋଜନ ହୋଇଥିଲା । ଅମଲା ସଂଘ ଗୁଡ଼ିକର ରାଜ୍ୟସ୍ତରୀୟ ନେତାଙ୍କ ନିଷ୍ପତ୍ତି ଅନୁସାରେ ‘ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚ’ ଗଠନ କରାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ କଲମ ଛାଡ଼ ଆନ୍ଦୋଳନ ପାଇଁ ମଞ୍ଚ ପକ୍ଷରୁ ପ୍ରସ୍ତୁତି ହେଉଥିବାର ସୂଚନା ମିଳିଛି ।
ଅମଲା ସଂଘର ଗଠନ ଦୀର୍ଘ ୮୦ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଡ଼ିଶା ସରକାର ସଂଘର ଗୋଟିଏ ଦାବି (ବେତନ ବୃଦ୍ଧି) ପୂରଣ କରିବାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଏହା ଭିତରେ ମୂଳ ଅମଲା ସଂଘରୁ ଭାଗ ଭାଗ ହୋଇ ଓଡ଼ିଶା ଅମଲା ସଂଘ, ଓଡ଼ିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡ଼ିଶା ଟ୍ରେଜରି ଅମଲା ସଂଘ ଓ ଓଡ଼ିଶା ସବରେଜିଷ୍ଟର ଅମଲା ସଂଘ ଗଠନ ହୋଇଯାଇଛି । ଯାହା ଦ୍ୱାରା ସରକାର ଏହାର ଫାଇଦା ଉଠାଇ ଅମଲାମାନଙ୍କର ନାର୍ଯ୍ୟ ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲାସ୍ତରୀୟ ଅମଲାମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଜନସାଧାରଣଙ୍କ ସେବାରେ ଅହରହ ନିଯୁକ୍ତ ଏହି ବର୍ଗର କର୍ମଚାରୀ ମାନେ ସରକାରୀ ଅବହେଳାର ଚରମ ଶିକାର ହେଉଛନ୍ତି ବୋଲି ବିଳମ୍ବରେ ହେଲେ ମଧ୍ୟ ବିଭିନ୍ନ ଅମଲା ସଂଗଠନର ନେତୃବୃନ୍ଦ ତଥା ସାଧାରଣ ସଦସ୍ୟମାନେ ଉପଲବ୍ôଧ କରି ଗତ ମାର୍ଚ୍ଚ ୫ତାରିଖରେ ରାଜ୍ୟ ସଚିବାଳୟ ସେବା ବୈଠକ ଗୃହରେ ସମସ୍ତ ଅମଲା ସଂଘମାନଙ୍କର ନେତୃବୃନ୍ଦଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୂର୍ବ ମତଭେଦକୁ ଦୂରେଇ ଜିଲାସ୍ତରୀୟ ଅମଲାମାନଙ୍କ ସାମୁହିକ ସ୍ୱାର୍ଥ ହାସଲ କରିବା ନିମନ୍ତେ ଏକତ୍ରିତ ହୋଇ ଏକ ମିଳିତ ମଞ୍ଚ ଗଠନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାର ସମସ୍ତ ଅମଲାମାନଙ୍କୁ ନେଇ ‘ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚ’ ଗଠନ ହୋଇଛି । ଏହାର ଅଧ୍ୟକ୍ଷ ଭାବେ ଓଡ଼ିଶା ରାଜସ୍ୱ ଅମଲା ସଂଘର ସଦସ୍ୟ ଲକ୍ଷ୍ମୀଧର ବେହେରା ଓ ଆବାହକ ଭାବେ ଓଡ଼ିଶା ଅମଲା ସଂଘର ସଦସ୍ୟ ପ୍ରଦୀପ କୁମାର ଦାଶଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହିପରି ଅଶୋକ କୁମାର ଦାସ, ଦେବିଦତ୍ତ ସାହୁ. ପୁଷ୍ପରାଜ ଜେନା, ମନୋରଞ୍ଜନ ପଲେଇ, ନିଗମ କିଶୋର ଦାସ, ତପନ କୁମାର ବେହେରା, ଉତ୍ତମ କୁମାର ଦେ, ମହେଶ୍ୱର ସେଠୀ, ସୁମିତ କୁମାର ସିଂ, ଦୀପକ କୁମାର ଚାନ୍ଦ, ନମିତା ମାଝୀ, ତନ୍ମୟ ଜେନା, କିଶୋର କୁମାର ବିଶ୍ୱାଳ, ଜୀବନ କୁମାର ମହାନ୍ତି, ଦିଲ୍ଲୀପ ମହାପାତ୍ର, ବ୍ରହ୍ମଦର୍ଶୀ ବେହେରା, କିଶୋର ମିଶ୍ର, ରଜନୀକାନ୍ତ ପଣ୍ଡା, ଧର୍ମେଶ କୁମାର ଶତପଥୀ, ପ୍ରୀତିଶ ପଟ୍ଟନାୟକ, ସତ୍ୟରଞ୍ଜନ ତ୍ରିପାଠୀଙ୍କୁ ମଞ୍ଚର ପ୍ରତିନିଧି ଭାବେ ମନୋନୀତ କରାଯାଇଛି । ଦାବି ପୂରଣ ଦିଗରେ ରାଜ୍ୟ ମିଳିତ ଅମଲା ସଂଘ ଯେଉଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ, ତାହାକୁ ଜିଲାସ୍ତରରେ ବ୍ୟାପକ କରିବା ପାଇଁ ଉପସ୍ଥିତ ସଭ୍ୟାସଭ୍ୟମାନେ ନିଷ୍ପତ୍ତି ନେଇଥିଲେ । ବୈଠକରେ ୨ଶହରୁ ଅଧିକ ଅମଲା ଉପସ୍ଥିତ ଥିଲେ ।
