ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଚଢଉ : ୪ ଗିରଫ କାର୍ ସହିତ ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
କଟକ : ଆଜି ସକାଳେ ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ କର୍ମଚାରୀମାନେ ମଙ୍ଗୁଳି ଛକ ନିକଟରେ ଜଗିରହି ଫୁଲବାଣୀରୁ କୋଲକତାକୁ ୨ଟି ଗାଡିରେ ଚାଲାଣ କରାଯାଉଥିବା ୨୨୫ କେଜି ଗଞ୍ଜେଇ ଜବତ କରିବା ସହିତ ଏହି କାରବାରରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଜିଲ୍ଲାର ବୋଲଧାର ମାନିକ ମଣ୍ଡଲ(୨୧), ଅଜିମ ବିଶ୍ୱାସ(୩୩), ଜସିମ ମଣ୍ଡଲ(୨୩) ଓ ରାଜେଶ ଦାସ । ବିଭାଗ ସୂତ୍ରରୁ ପ୍ରକାଶ ଯେ, ଫୁଲବାଣୀରୁ କୋଲକତାକୁ ଏକ ଟାଟା ଗାଡି(ଓଡି-୨୫୪୨୨୪)ରେ ଏହି ଅଭିଯୁକ୍ତମାନେ ୫ଟି ବସ୍ତାରେ ପ୍ରାୟ ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ନେଇ ଯାଉଥିବାର ଗୁପ୍ତ ସୂଚନା ପାଇ ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ସ୍କ୍ୱାଡର କର୍ମଚାରୀମାନେ ମଙ୍ଗୁଳି ଛକରେ ଜଗି ରହିଥିଲେ । ଗାଡିଟି ଛକ ଅତିକ୍ରମ କରୁଥିବା ବେଳେ ସେଠାରେ ସାଦା ପୋଷାକରେ ନିୟୋଜିତ ଥିବା ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ, ଦିଲ୍ଲିପ ବେହେରା, ରୋଶନ ହାଁସାଦଙ୍କ ସହିତ ଅନ୍ୟ କର୍ମଚାରୀମାନେ ଗାଡିଟିକୁ ଅଟକାଇଥିଲେ । ତଲାସୀ ପରେ ସେଥିରୁ ୫ଟି ବସ୍ତାରେ ଥିବା ୧୫୦ କେଜି ଓଜନର ଗଞ୍ଜେଇ ମିଳିଥିଲା । ସେହିଭଳି ଏହି କର୍ମଚାରୀମାନେ ତ୍ରିଶୂଳିଆ ଛକରେ ଜଗିରହି ଓଡି-୨୪-ଏକ୍ୟୁ-୧୮୫୭ ନମ୍ବରର ଏକ ହୁଣ୍ଡାଇ କାର୍କୁ ତଲାସ କରି ୮ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ରାଜେଶଠାରୁ ଜବତ କରିଥିଲେ । ଏହି ଚଢଉରେ ଅନ୍ୟମାନଙ୍କ ମଧ୍ୟରେ ଏସଆଇ ନଟବର ମଲ୍ଲିକ, ସେକ ସାକିରଉଲା, ମୋତିଲାଲ ମହନ୍ତ, ପ୍ରଦୀପ ବେହେରା, ରାଜକିଶୋର ନାୟକ, କନେଷ୍ଟବଳ ରୋଜାଲୀନ ପଟ୍ଟନାୟକ, କରନ ଓରାମ, ଦେବାଶିଷ ବେହେରା, ଦିଲଜିତ ଦାସ ପ୍ରମୁଖ ସାମିଲ ଥିଲେ । ଆଜି ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
