ବାଲେଶ୍ୱର ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ବୈଠକ
ନୀଳଗିରି : ବାଲେଶ୍ୱର ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ବୈଠକ ମୁଖ୍ୟ କାର୍ଯ୍ୟାଳୟ ନୀଳଗିରି ଆଇଟିଡ଼ିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷ ମଦନ ମୋହନ ମାଝୀ ଅଧ୍ୟକ୍ଷତା କରିଥିଲେ । ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସହ ନୀଳଗିରି ଉପଜିଲାପାଳ ମନ୍ଦରଧର ମହାଳିକ, ପିଏଆଇଟିଡିଏ କାରୁ ସରେନ, ଆଇଟିଡିଏ ସ୍ୱତନ୍ତ୍ର ଅଧିକାରୀ ସାଲୁ କୁମାର ଟୁଡୁ, ଡିଡବ୍ଲ୍ୟୁଓ ବାଲେଶ୍ୱର ଭରତ ଭୂଷଣ ବିଶ୍ୱାଳ, ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଳ, ଜଳେଶ୍ୱର ବିଡ଼ିଓ ପୁନମ ରାଉତ, ନୀଳଗିରି ଆଡିସନାଲ ତହସିଲଦାର ପ୍ରଦୀପ କୁମାର ଦାସ, ଜଳେଶ୍ୱର ତହସିଲଦାର ମିହିର ରଞ୍ଜନ ବେହେରା, ନୀଳଗିରି ଓ ଜଳେଶ୍ୱର ଡବ୍ଲ୍ୟୁଇଓ ପ୍ରମୁଖ ଉଭୟ ବ୍ଲକର ବହୁ ଅଧିକାରୀ ସମେତ ପ୍ରମୁଖ ଆଦିବାସୀ ସମାଜ ଯଥା ସାନ୍ତାଳୀ, ଭୂମିଜ, କୋହ୍ଲ, ବାଥୁଡ଼ି ସମ୍ପ୍ରଦାୟର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
ରାଜ୍ୟ ସରକାର ନୂତନ ଭାବେ ଗଠନ କରିଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ବୈଠକରେ ଆଦିବାସୀ ସମ୍ପ୍ରଦାୟ ମାନଙ୍କର ମୁଖ୍ୟ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ଆଦିବାସୀ ମାନଙ୍କର ସାମଗ୍ରିକ ବିକାଶ ସହିତ କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ବେଶଭୂଷାକୁ ବଞ୍ଚାଇ ରଖିବା ଏହି ପରିଷଦର ମୁଖ୍ୟ ଲକ୍ଷ୍ୟ । ଆଦିବାସୀମାନଙ୍କର ପୂଜା ଓ ପ୍ରାର୍ଥନା ସ୍ଥଳୀ (ଜାହିରା)ର ଉନ୍ନତି କରଣ ସହ ଉକ୍ତ ସ୍ଥାନମାନଙ୍କରେ ପାଣିର ସୁବିଧା, ଆଦିବାସୀ ସଂପ୍ରଦାୟର ଭାଇଭଉଣୀ ମାନଙ୍କୁ ବାଦ୍ୟଯନ୍ତ୍ର ଉପଲବ୍ଧ କରାଇବା, ଜାହିରା ଗୁଡ଼ିକ ପଟ୍ଟା ପ୍ରଦାନ, ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆଦିବାସୀ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା, ସ୍କୁଲ କଲେଜ ଆଦିରେ ଅଧାରୁ ପାଠ ଛାଡ଼ିଥିବା ଆଦିବାସୀ ପିଲାମାନଙ୍କୁ ହଷ୍ଟେଲ ସୁବିଧା ଉପଲବ୍ଧ କରାଇବା ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା । ସର୍ବୋପରି ଆଦିବାସୀ ସମାଜର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ଏହି ଉନ୍ନୟନ ପରିଷଦର ମୁଖ୍ୟ ଲକ୍ଷ୍ୟ । ତେବେ ଜିଲାପାଳ ଗୁରୁତର ସହ ନେଇ ଖୁବ୍ଶୀଘ୍ର ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
