ବାଲେଶ୍ୱର ଜିଲାସ୍ତରୀୟ ଜୁଡ଼ିସିଆଲ ହବ ଅନ୍ୟତ୍ର ସ୍ଥାପନକୁ ବିରୋଧ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ବାଲେଶ୍ୱର : ବାଲେଶ୍ୱର ଜିଲାସ୍ତରୀୟ ଜୁଡ଼ିସିଆଲ ହବ ଅନ୍ୟତ୍ର ସ୍ଥାପନ ପରିବର୍ତ୍ତେ କଚେରୀ ହତା ମଧ୍ୟରେ ପ୍ରତିଷ୍ଠା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ସରପଞ୍ଚ ତଥା ଆଇନଜୀବି ଅମୂଲ୍ୟ କୁମାର ପରିଡ଼ା ସମର୍ଥକଙ୍କ ସହ ଗୁରୁବାର ଧାରଣାରେ ବସିଥିଲେ । ଏନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଅଭିଯୋଗ ଅନୁସାରେ, ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାରଙ୍କ ଅନୁଦାନରେ ପ୍ରତ୍ୟେକ ଜିଲାରେ ଜିଲାସ୍ତରୀୟ ଜୁଡ଼ିସିଆଲ ହବ ନିର୍ମାଣ ହେବାକୁ ଥିବା ବେଳେ ବାଲେଶ୍ୱର ଜିଲାରେ ଅନୁରୁପ ଜୁଡିସିଆଲ ହବ ୧୦ଏକର ପରିମିତ ଜମିରେ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ସହର ଠାରୁ ବହୁ ଦୂରରେ ଏହି ହବ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ହବ ଅନ୍ୟତ୍ର ନିର୍ମାଣ ହେଲେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ସାଧାରଣ ବର୍ଗର ଲୋକଙ୍କ ସମେତ ଆଇନ୍ଜୀବୀ, ମୋକଦ୍ଦମାରେ ସାମିଲ ପକ୍ଷ, ବ୍ୟବସାୟୀ ଓ କଚେରୀ ଉପରେ ନିର୍ଭର ସହ ଦୈନନ୍ଦିନ ଜୀବନଯାପନ କରୁଥିବା ଲୋକେ ସମସ୍ୟାରେ ପଡ଼ିବେ । ଜିଲାର ପ୍ରଶାସନିକ ବିଭାଗର ସମସ୍ତ କାର୍ଯ୍ୟାଳୟ ଗୋଟିଏ ସ୍ଥାନରେ ଏବଂ ବିଚାର ବିଭାଗର ସମସ୍ତ କାର୍ଯ୍ୟାଳୟକୁ ନେଇ ଜୁଡ଼ିସିଆଲ ହବ ପ୍ରତିଷ୍ଠା ହେବା କେଉଁ ଯୁକ୍ତିରେ ବୋଲି ପ୍ରଶ୍ନ ଉଠାଇଛନ୍ତି । ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡ ଭଳି ନିକଟରେ ଥିବା ଗମନାଗମନ ବ୍ୟବସ୍ଥା ଅନୁସାରେ ଜନସାଧାରଣ ବର୍ଷ ବର୍ଷ ଧରି ଅତ୍ୟନ୍ତ ସୁରୁଖୁରୁରେ ନ୍ୟାୟ ପାଇ ପାରୁଛନ୍ତି । ଉଚ୍ଚତମ ନ୍ୟାୟାଳୟଙ୍କ ଗାଇଡଲାଇନ୍ ମୁତାବକ ଜୁଡ଼ିସିଆଲ ହବଟି ପ୍ରତିଷ୍ଠା ପାଇଁ କଚେରୀ ହତା ପରିସରରେ ୧୦ ରୁ ୧୨ ଏକର ସ୍ଥାନ ରହିଛି । ସମ୍ପ୍ରତି କଚେରୀ ହତା ମଧ୍ୟରେ ପରିଚାଳିତ ହେଉଥିବା ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଖାଦ୍ୟ ଓ ଯୋଗାଣ ବିଭାଗ, ସଦର ତହସିଲ, ଗ୍ରାମ ଉନ୍ନୟନ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରଭୃତି କାର୍ଯ୍ୟାଳୟ ସହିତ ସାମ୍ବାଦିକ ପ୍ରକୋଷ୍ଠ ଓ ଜିଲାପାଳଙ୍କ ସମ୍ମିଳନୀ କକ୍ଷ ପ୍ରଭୃତିକୁ ଅନ୍ୟତ୍ର ସ୍ଥାନାନ୍ତରିତ ସହ ଜୁଡିସିଆଲ ହବ ପାଇଁ ଆବଶ୍ୟକ ମୁତାବକ ସ୍ଥାନ ଯୋଗାଇ ହେବ । ଜିଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ନଚେତ ଏହି ଆନ୍ଦୋଳନ ଆଗାମୀ ଦିନରେ ଆହୁରୀ ତୀବ୍ର ହେବ ବୋଲି ଶ୍ରୀ ପରିଡ଼ା ଚେତାବନୀ ଦେଇଛନ୍ତି । ଭାସ୍କର ବେହେରା, ଗଙ୍ଗାଧର ପରିଡ଼ା, ଘନଶ୍ୟାମ ବିଶ୍ୱାଳ, ଗଣପତି ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ, ରମାକାନ୍ତ ଗୁଡ଼, ଶଙ୍କର୍ଷଣ ଗୋଚ୍ଛାୟତ, ପ୍ରଭାକର ମହାରଣା, ରମାକାନ୍ତ ସେଠୀ ପ୍ରମୁଖ ଏହି ଧାରଣାରେ ସାମିଲ ହୋଇଥିଲେ ।
