ବାଲେଶ୍ୱର : ୩୦ ହଜାରରୁ ଉର୍ଦ୍ଧ୍ୱ ୫ଶହ ଟଙ୍କିଆ ଜାଲ ନୋଟ ଜବତ ଜଣେ ଅଟକ, ତଦନ୍ତ ଜାରି
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଏବଂ ଏହାର ଆଖପାଖ ଅଞ୍ଚଳରେ ଘୁରିବୁଲୁଛି ଜାଲ ଟଙ୍କା । ନୀଳଗିରିରୁ ୩୦ ହଜାରରୁ ଉର୍ଦ୍ଧ୍ୱ ୫ଶହ ଟଙ୍କିଆ ଜାଲ ନୋଟ ଜବତ ହେବା ସହ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଛି । ଏହି ଖବର ପ୍ରଚାରିତ ହେବା ପରେ ଏବେ ଜନସାଧାରଣଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ୫ଶହ ଟଙ୍କିଆ ନୋଟ୍ ଦେଖି ଛନକୁଛନ୍ତି ।
ସୂଚନା ଯେ, ନୀଳଗିରି ଥାନା ଅନ୍ତର୍ଗତ ସନ୍ତରାଗଡ଼ିଆ ଅଞ୍ଚଳରେ ନୀଳଗିରି ପୋଲିସ ଜାଲ ନୋଟ କାରବାରରେ ଜଣକୁ ଅଟକ ରଖିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କାଣ୍ଡଗରଡ଼ି ପଞ୍ଚାୟତ ନୂଆପାଟଣା ନିକଟ ଘୁଡ଼ାଡ଼ିଆଁ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ ଗତ ମଙ୍ଗଳବାର ସନ୍ତରାଗଡ଼ିଆ ବଜାରରେ ଜନୈକ ବ୍ୟାଙ୍କ ଶାଖାରେ କିଛି ଟଙ୍କା ଜମା କରିବାକୁ ଯାଇଥିଲେ । ମାତ୍ର ଉକ୍ତ ଟଙ୍କା ଜାଲ ଥିବାର ଜାଣିପାରି ବ୍ୟାଙ୍କ କର୍ମଚାରୀ ଟଙ୍କା ଫେରସ୍ତ କରିଦେଇଥିଲେ । ଘଟଣା ପ୍ରଚାରିତ ହେବା ବେଳକୁ ପୂର୍ଣ୍ଣଚନ୍ଦ୍ର ବଜାରର ଚାହା ଦୋକାନ, ମାଛ ଦୋକାନ, ମଦ କାଉଣ୍ଟର, ମୋବାଇଲ ରିଚାର୍ଜ ଦୋକାନ ଆଦିରେ ଜାଲ ଟଙ୍କା ଦେଇ ଠକି ଥିବାର ସୂଚନା ମିଳିଛି । ଏଥିସହ ପୂର୍ବରୁ ବହୁ କଳା କାରନାମାରେ ପୂର୍ଣ୍ଣଚନ୍ଦ୍ର ଲିପ୍ତ ଥିବା ଅଭିଯୋଗ ହୋଇଆସୁଥିଲା । ନୀଳଗିରି ପୋଲିସ ଜାଲ ନୋଟ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଠାରୁ ୫ଶହ ଟଙ୍କିଆ ୩୦ ହଜାରରୁ ଉର୍ଦ୍ଧ୍ୱ ଜାଲ ନୋଟ ଜବତ କରିଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ଜାଲ ନୋଟ ମୁଖ୍ୟକୁ ଧରିବା ପାଇଁ ନୀଳଗିରି ପୋଲିସ ପକ୍ଷରୁ ତଦନ୍ତକୁ ଜୋରଦାର କରିଥିବାର ସୂଚନା ଦେଇଛି ।
