ସିଏମସି ପକ୍ଷରୁ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ଶିବିର
କଟକ : କଟକ ମହାନଗର ନିଗମ(ସିଏମସି) ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୱାର୍ଡ ନଂ ୩ ଅନ୍ତର୍ଗତ ଜଜ୍ ପଠା ସିଡିଏ ସେକ୍ଟର-୧୨ ପରିଚୟ କେନ୍ଦ୍ରରେ ଏକ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧, ୨, ୩ ଓ ୫ ନମ୍ବର ୱାର୍ଡର କର୍ପୋରେଟରମାନେ ଉପସ୍ଥିତ ରହି ୧୭ ଗୋଟି ବସ୍ତିବାସିନ୍ଦା ସଂଘ ଓ ମହିଳା ଗୋଷ୍ଠୀରୁ ବହୁ ସଂଖ୍ୟକ ସଦସ୍ୟ ଓ ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ । ଗୋଷ୍ଠୀ ସଂଗଠିକା ପ୍ରଜ୍ଞା ମିଶ୍ର ଶିବିର ପରିଚାଳନା କରିଥିଲେ । ସିଏମସି ଅଗ୍ନି ନିରାପତ୍ତା ସିଟି ପ୍ରକଳ୍ପ ସଂଯୋଜକ ଶ୍ରୀନିବାସ ପଣ୍ଡା ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ । ଏସଜି ଫାଉଣ୍ଡେସନର ପ୍ରଦୀପ୍ତ କୁମାର ମହାନ୍ତି ପ୍ରଶିକ୍ଷଣରେ ସହଯୋଗ କରିଥିଲେ । ଅଗ୍ନିଶମ ବିଭାଗର ସରୋଜକାନ୍ତ ସାହୁ, କ୍ଷୀରୋଦ ଚନ୍ଦ୍ର ଶତପଥୀଙ୍କ ସମେତ କର୍ମଚାରୀମାନେ ଅଗ୍ନି ନିରାପତ୍ତା ଉପରେ ତାଲିମ ପ୍ରଦାନ କରିଥିଲେ । ଶ୍ରୀମତୀ ମିଶ୍ର ଏହି ପ୍ରକାର କାର୍ଯ୍ୟକ୍ରମକୁ ନିଜ ନିଜ ୱାର୍ଡରେ ପ୍ରଚାର ପ୍ରସାର କରିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
