୧୧ ଦଫା ଦାବିନେଇ କୃଷକମାନଙ୍କର ବିକ୍ଷୋଭ
କେନ୍ଦ୍ରାପଡ଼ା : ଅଖିଳ ଭାରତ କୃଷକ ସଭା ଓ ରାମଚଣ୍ଡୀ କୃଷକ ସଭା ମିଳିତ ଆନୁକୂଲ୍ୟରେ କୃଷକମାନଙ୍କ ପକ୍ଷରୁ ବିକ୍ଷୋଭ ଓ ସଭା ଆୟୋଜନ କରାଯାଇଛି । ବୁଧବାର ଗୋପଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଭାପତି ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସିପିଆଇର ରାଜ୍ୟ ସଂପାଦକ ଅଭୟ ସାହୁ, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ, ରାଜ୍ୟ ସଂପାଦକ କ୍ଷିରୋଦ ସିଂହଦେଓ, ସିପିଆଇ ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ, ରାମଚଣ୍ଡୀ କୃଷକ ସଭା ସଂପାଦକ କୈଳାସ ସାହୁ, ସହ ସଂପାଦକ ହରେକୃଷ୍ଣ ମାଝି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ବକ୍ତବ୍ୟରେ କନ୍ଦା ଚାଷୀଙ୍କୁ ସେମାନଙ୍କର ଚାଷ ଜମିର ପଟା ପ୍ରଦାନ କରାଯାଉ, ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ କମ୍ପାନୀ ଦ୍ୱାରା ସିଧା ସଳଖ ଭାବେ ଲୋକଙ୍କ ଠାରୁ ଜମି କ୍ରୟ କରାଯାଉ । ଧାନ କ୍ୱିଂଟାଲ ସର୍ବନିମ୍ନ ମୂଲ୍ୟ ୩ ହଜାର ଟଙ୍କା ଧାର୍ଯ୍ୟ କରାଯାଉ । ୬୦ ବର୍ଷ ପରେ କୃଷକଙ୍କୁ ୬ହଜାର ଟଙ୍କା ପେନଶନ ପ୍ରଦାନ କାରାଯାଉ ଆଦି ୧୧ଦଫା ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଅଖିଳ ଭାରତ କୃଷକ ସଭା ଆବାହକ ପଦ୍ମନାଭ ଦାସ, ଏଆଇଟିୟୁସିର ଜିଲ୍ଲା ସଭାପତି ବାବାଜୀ ଧଳ, ରାମଚଣ୍ଡୀ କୃଷକ ସଭାର ଉପ ସଭାପତି ଧିରେନ୍ଦ୍ର ସାମଲ, ବିକାଶ ଚନ୍ଦ୍ର ବେଉରା, ସୁଭାସିନୀ ଭଦ୍ର, ସୁହାନା ବେଗମ, ଭଜହରି ପ୍ରଧାନ, ବସନ୍ତ ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ ।
